କାଲି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ । ତେଲେଙ୍ଗାନା, ଛତିଶଗଡ଼ରେ ଆସିପାରେ କଂଗ୍ରେସ

107

କନକ ବ୍ୟୁରୋ : କାଲି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଗଡ ବିଧାନସଭାର ରେଜଲ୍ଟ । ତା ପୂର୍ବରୁ ପୂଜାର୍ଚ୍ଚନା କଲେଣି ନେତା । ସାରା ଦେଶର ନଜର ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ଫଳାଫଳ ଉପରେ ରହିଛି । ଆଉ ତାପୂର୍ବରୁ ଭାରତୀୟ ଜନତା ପାର୍ଟିର ବିଜୟ କାମନା କରି ଗୁଜରାଟର ସୋମନାଥ ମନ୍ଦିରରେ ପୂଜାପାଠ କରିଛନ୍ତି ଶାହା । ମଧ୍ୟପ୍ରଦେଶ ବିଜେପି ନେତା କୈଳାଶ ବିଜୟବର୍ଗୀୟ ମଧ୍ୟ ପୂଜାର୍ଚ୍ଚନା କରି ଦଳର ବିଜୟ କାମନା କରିଛନ୍ତି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଦୌସା ଜିଲ୍ଲାର ମେହନ୍ଦିପୁର ବାଲାଜୀ ମନ୍ଦିରରେ ପହଁଚି ପୂଜାର୍ଚ୍ଚନା କରିଛନ୍ତି । ପ୍ରଥମେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ବାଲାଜୀ ମନ୍ଦିରରେ ପହଁଚିଥିଲେ ବସୁନ୍ଧରା ରାଜେ ।

ଛତିଶଗଡ ଓ ତେଲେଙ୍ଗାରେ ଏଥର କଂଗ୍ରେସ ଜିତିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି । ବିଭିନ୍ନ ଏକଜିଟ ପୋଲ ଅନୁସାରେ, ଛତିଶଗଡରେ ଦ୍ୱିତୀୟ ଥର ଲାଗି ଭୂପେଶ ବାଘେଲ କଂଗ୍ରେସକୁ ବିଜୟ ଦେବେ । ତେବେ ତେଲେଙ୍ଗାରେ ଏଥର କେ.ଚନ୍ଦ୍ରଶେଖର ରାଓଙ୍କୁ କଂଗ୍ରେସ କଡା ଟକ୍କର ଦେଉଛି ବୋଲି ଅଧିକାଂଶ ଏକଜିଟ ପୋଲ ଆକଳନ କରିଛନ୍ତି । ଏଭଳି ହେଲେ ଦୀର୍ଘ ଦଶ ବର୍ଷ ପରେ ତେଲେଙ୍ଗାର ପଟ୍ଟ ପରିବର୍ତନ ହେବ ।

କାଲି ସକାଳ ୭ଟାରୁ ୪ ରାଜ୍ୟର ବିଧାନସଭା ପାଇଁ ଭୋଟଗଣତି ଆରମ୍ଭ ହେବ । ଏହି ଫଳାଫଳକୁ ୨୦୨୪ ପୂର୍ବର ସେମିଫାଇନାଲ ବୋଲି କୁହାଯାଉଛି । ତେଣୁ ଏହି ୪ ରାଜ୍ୟର ଫଳାଫଳ ଉପରେ ଦେଶର ନଜର ରହିଛି ।