ନିର୍ବାଚନ ଫଳାଫଳ ନେଇ ମୋଦୀଙ୍କୁ ଟାର୍ଗେଟ୍ କଲେ ଖଡଗେ । କହିଲେ, ମୋଦୀଙ୍କର ହୋଇଛି ନୈତିକ ପରାଜୟ

461

କନକ ବ୍ୟୁରୋ : ଲୋକସଭା ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ ଆସିନାହିଁ । ହେଲେ ଏବେର ଟ୍ରେଣ୍ଡିଂ ମୁତାବକ ଏନଡିଏକୁ ବହୁମତ ମିଳିବାକୁ ଯାଉଛି । ଏନଡିଏକୁ ୨୮୦ ରୁ ଅଧିକ ଆସନ ମିଳିବ ବୋଲି ଆଶା କରାଯାଉଥିବା ବେଳେ ଇଣ୍ଡିଆ ମେଣ୍ଟକୁ ୨୨୦ ଆସନ ମିଳିପାରେ । ଫଳାଫଳ ଭିତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି କି, ନିର୍ବାଚନ ଫଳାଫଳ ଜନତାଙ୍କ ଫଳାଫଳ, ଏହି ଲଢେଇ ମୋଦୀ ବନାମ ଜନତା ବୋଲି ସେ କହିଛନ୍ତି । ଏହାସହ ସେ ଜନମତକୁ ସମ୍ମାନ ଦେଉଥିବା କଥା କହିଛନ୍ତି । ଏହାସହ ସେ କହିଛନ୍ତି କି, ଦେଶର ଜନତା ମୋଦୀଙ୍କ ବିରୋଧରେ ଭୋଟ ଦେଇଛନ୍ତି । ତେଣୁ ନୈତିକତା ଦୃଷ୍ଟିରୁ ମୋଦୀ ଇସ୍ତଫା ଦିଅନ୍ତୁ ।

ଖଡଗେ କହିଛନ୍ତି କି, ପ୍ରତିଟି ସ୍ଥାନରେ ମୋଦୀ ନିଜ ନାମରେ ଭୋଟ ମାଗୁଥିବା ବେଳେ ଇଣ୍ଡିଆ ମେଣ୍ଟ ପ୍ରତିକୂଳ ପରିସ୍ଥିତିରେ ନିର୍ବାଚନ ଲଢିଛି । ଆମର ବ୍ୟାଙ୍କ ଖାତା ଅଚଳ କରିଦିଆଗଲା, କିଛି ନେତାଙ୍କୁ ବିନା ଦୋଷରେ ଜେଲରେ ରଖାଯାଇଛି । ଏହାପରେ ବି କଂଗ୍ରେସର ପ୍ରଚାର ସକରାତ୍ମକ ଥିଲା । ଖଡଗେ କହିଛନ୍ତି କି, ଏନଡିଏ ଧର୍ମ, ଜାତି ନାମରେ ଭୋଟ ମାଗୁଥିବା ବେଳେ ଇଣ୍ଡିଆ ମେଣ୍ଟ ବେରୋଜଗାରୀ, ଦରବୃଦ୍ଧିକୁ ପ୍ରସଙ୍ଗ କରି ନିର୍ବାଚନ ଲଢିଥିଲା ।

ସେପଟେ ବିରୋଧୀଦଳରେ ରହିବେ ନା ସରକାର ଗଠନ କରିବେ ବୋଲି ପ୍ରଶ୍ନର ଉତର ଦେଇ ଖଡଗେ କହିଛନ୍ତି କି, ଆମକୁ ବିଚାର କରିବାକୁ ପଡିବ । ଏନେଇ ଆମକୁ ଦୁଇଦିନ ସମୟ ଦରକାର ।