ଜନତାଙ୍କୁ ନବୀନ ପଚାରିଥିବା ପ୍ରଶ୍ନର ଉତ୍ତର ମିଳିବ ମେ’ ୨୩ରେ । ଓଡିଶାବାସୀ କହିବେ ସେମାନେ ନବୀନଙ୍କ ଉପରେ କେତେ ଖୁସି ?

244

କନକ ବ୍ୟୁରୋ : ଆପଣ ମାନେ ଖୁସି ତ  । ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ନାରା ରାଜ୍ୟବାସୀଙ୍କ ନିକଟରେ ବେଶ ପପୁଲାର ହୋଇଥିଲା । ରାଜ୍ୟର ସବୁ ବର୍ଗର ବ୍ୟକ୍ତିଙ୍କ ମୁହଁରେ ନବୀନଙ୍କ ଏହି ନୂଆ ଡାଇଲଗ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ନବୀନ ଆରମ୍ଭ କରିଥିବା ଏହି ଡାଇଲଗ ଏତେ ଲୋକପ୍ରିୟ ହୋଇଯାଇଛି ଯେ ରାସ୍ତାଘାଟ, ବଜାର, ଶିକ୍ଷାନୁଷ୍ଠାନ ଏପରିକି ଚା’ ଖଟିରେ ମଧ୍ୟ କାହା ନା କାହା ମୁହଁରୁ ଏହା ଶୁଣିବାକୁ ମିଳୁଛି । ଏମିତିକି ବିଭିନ୍ନ ଜିଲ୍ଲା ଗସ୍ତ କରିବା ସହ ପ୍ୟାକେଜର ଘୋଷଣା କରି ଆପଣ ମାନେ ଖୁସି ତ କହିବା କ୍ଷଣି ହଁ ଆମେ ବହୁତ ଖୁସି ଶବ୍ଦରେ ଗୁଞ୍ଜରିତ ହୋଇ ଉଠିଥାଏ ପୂରା ସଭାସ୍ଥଳ । କିନ୍ତୁ ବାସ୍ତବରେ ଓଡିଶାବାସୀ ନବୀନଙ୍କ ଉପରେ କେତେ ଖୁସି ତାହା ମେ’ ୨୩ରେ ଜଣାପଡିବ ।

ଏକଥା ଏଥିପାଇଁ କୁହାଯାଉଛି, କାରଣ ବିଭିନ୍ନ ସଭାରେ ନବୀନଙ୍କ ‘ଆପଣ ମାନେ ଖୁସି ତ’ ପ୍ରତ୍ୟୁତ୍ତରରେ ‘ଆମେ ବହୁତ ଖୁସି’ ଜନତା କହୁଥିବା ବେଳେ ଏହା ଭୋଟରେ କେତେ ପ୍ରତିଫଳିତ ହେଉଛି ତାହା ଉପରେ ସମସ୍ତଙ୍କର ନଜର ରହିବ । ଯଦି ୧୯ ବର୍ଷର ସରକାର ଉପରେ ଜନତା ଖୁସିଥାନ୍ତି ତେବେ ଅପରାଜୟ ରହି ଆସିଥିବା ନବୀନ ପୁଣିଥରେ ବିଜୟ ବାନା ଉଡାଇବାରେ ସଫଳ ହେବେ । ଏପରିକି ନବୀନ ସରକାରଙ୍କୁ ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ମଧ୍ୟ ଭୁଲ ପ୍ରମାଣିତ ହେବ । ମେ’ ୨୩ରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ସହ ନବୀନଙ୍କ ଉପରେ ରାଜ୍ୟବାସୀ କେତେ ଖୁସି ତାହା ସ୍ପଷ୍ଟ ଭାବେ ଜଣାପଡିଯିବ ।

ଯେକୌଣସି ବିଶାଳ ଜନସଭାକୁ ସମ୍ବୋଧିତ କରିବା ଅବସରରେ ନବୀନ ଯେତେବେଳେ ଆପଣ ମାନେ ଖୁସି ତ ବୋଲି ପ୍ରଶ୍ନ କରୁଛନ୍ତି ସେତେବେଳେ ଉପସ୍ଥିତ ଜନତା ମଧ୍ୟ ସମାନ ସ୍ୱରରେ ପ୍ରତିକ୍ରିୟା ରଖୁଛନ୍ତି । ଆଉ ନବୀନ ସନ୍ଦେଶ ଦେଉଛନ୍ତି ଯେ, ସାଧାରଣ ଜନତାଙ୍କ ଖୁସିରେ ସେ ମଧ୍ୟ ଖୁସି । ନବୀନଙ୍କ ଏହି ଡାଇଲଗ୍ ଏବେ ଚାରିଆଡେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । କିନ୍ତୁ ବିରେଧୀଙ୍କ କହିବା କଥା ହେଉଛି ଓଡିଶାବାସୀ ପ୍ରକୃତରେ ଖୁସି ନାହାନ୍ତି, କେବଳ ଖୁସୀର ଏକ ଭ୍ରମ ସୃଷ୍ଟି କରାଯାଉଛି ।

ନବୀନଙ୍କ ଏହି ଦୁଇ ପଦ ବିରୋଧୀଙ୍କ ଲମ୍ବା ଭାଷଣକୁ ମାତ୍ ଦେବାକୁ ଯଥେଷ୍ଟ । ଆଉ ରାଜ୍ୟବାସୀଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଖୁସିର ବାତାବରଣ ତିଆରି କରି ନବୀନ ନୂଆ ଟ୍ରେଣ୍ଡ ତିଆରି କରିଥିବା ଦାବି କରିଛି ବିଜେଡି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିବା ନବୀନଙ୍କ ଏହି ନାରା ଲୋକପ୍ରିୟ ହେବା ପରେ, ଏବେ ସବୁ ସମାରୋହରେ ଶୁଣିବାକୁ ମିଳୁଛି ।