କନକ ବ୍ୟୁରୋ : କରୋନା ସଂକ୍ରମଣର ଭୟ ଭିତରେ ଦେଶର ପାଂଚଟି ରାଜ୍ୟରେ ଆସନ୍ତା ମାସରୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସଂକ୍ରମଣ ବୃଦ୍ଧିକୁ ନେଇ ପ୍ରଚାର ରୋଡ ସୋ, ରାଲି, ସଭା, ସମାବେଶ ଉପରେ ଜାନୁୟାରୀ ୩୧ ତାରିଖ ଯାଏଁ ପ୍ରତିବନ୍ଧକ ଲଗାଇ ଡିଜିଟାଲ ପ୍ରଚାର ପାଇଁ ପରାମର୍ଶ ଦେଇଛନ୍ତି । ଏପରି ସମୟରେ କରୋନା ସ୍ଥିତିକୁ ନେଇ ଆଜି ଦିନ ୧୧ଟାରେ ସମୀକ୍ଷା ବୈଠକ କରିବେ ଜାତୀୟ ନିର୍ବାଚନ କମିସନ । ତେଣୁ ରାଲି, ସମାବେଶ ଉପରେ କଟକଣା ଅବଧି ବଢିବ ନା ହଟିବ ତାହା ଆଜି ସ୍ପଷ୍ଟ ହୋଇଯିବ ।

Advertisment

ସମୀକ୍ଷା ବୈଠକରେ ୫ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଓ ସ୍ୱାସ୍ଥ୍ୟ ସଚିବ ସାମିଲ ହେବେ ବୋଲି ସୂଚନା ମିଳିଛି । ଆଜିର ସମୀକ୍ଷା ବୈଠକରେ ଜାତୀୟ ନିର୍ବାଚନ କମିସନ ସାଂପ୍ରତିକ ସ୍ଥିତି ଓ ସଂପୃକ୍ତ ରାଜ୍ୟର କରୋନା ସଂକ୍ରମଣକୁ ଅନୁଧ୍ୟାନ କରି କଟକଣା ନିଷ୍ପତି ନେବେ । ପୂର୍ବରୁ ୨୨ ତାରିଖ ସମୀକ୍ଷା ବୈଠକରେ କମିସନ ରାଲି, ପ୍ରଚାର ସଭା ଉପରେ କଟକଣାକୁ ଜାନୁୟାରୀ ୩୧ ତାରିଖ ଯାଏଁ ବଢାଇଦେଇଥିଲେ । ହେଲେ ଏବେ ଦେଶରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା କମିବାରେ ଲାଗିଛି ।

ବିଶେଷ କରି ଅଧିକ ଦୈନିକ ମାମଲା ଆସୁଥିବା ଦିଲ୍ଲୀ, ମହାରାଷ୍ଟ୍ର ଓ ଉତରପ୍ରଦେଶରେ କମିଛି । ତେଣୁ ଏଥର କଟକଣା ହଟିବ ବୋଲି ଆଶା ରଖିଛନ୍ତି ରାଜନେତା । ଆସନ୍ତା ମାସ ୧୦ ତାରିଖରୁ ଭୋଟ ଗ୍ରହଣ ଆରମ୍ଭ ହେଉଥିବାରୁ ଏବଂ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ କମ ସମୟ ଥିବାରୁ ରୋଡ ଶୋ, ରାଲି, ସମାବେଶ ଉପରୁ କଟକଣା ହଟିବ ବୋଲି ଆଶା କରାଯାଉଛି ।