ମାଲକାନଗିରିର ମାଓପ୍ରବଣ ଅଂଳଚରେ ନିର୍ବାଚନ ପାଇଁ ପ୍ରସ୍ତୁତି: ଅପହଂଚ ବୁଥ ଗୁଡିକରେ ହେଲିକପ୍ଟରରେ ପହଁଞ୍ଚିବେ ପୋଲିଂ ପାର୍ଟି, ନିୟୋଜିତ ହେବେ ପାରାମିଲିଟାରୀ ଫୋର୍ସ

ଜୋରଦାର ହେବ କମ୍ବିଂ ଅପରେସନ

78

କନକ ବ୍ୟୁରୋ: ମାଲକାନଗିରିର ମାଓପ୍ରବଣ ଅଂଳଚରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ହେବାକୁ ଥିବାବେଳେ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଅତିସମ୍ବେଦନଶୀଳ ଏବଂ ଅପହଂଚ ବୁଥ ଗୁଡିକରେ ହେଲିକପ୍ଟରରେ ପହଁଚିବେ ପୋଲିଂ ପାର୍ଟି ପହଚାଇବା ନେଇ ସ୍ଥିର କରିଛି ଜିଲ୍ଲା ପ୍ରଶାସନ । ମାଲକାଲ ଗିରି ଜିଲ୍ଲାର ୨ଟି ବିଧାନସଭା ଆସନା ଲାଗି ମୋଟ୍ ୫ଶହ ୪୦ଟି ବୁଥ୍ ରହିଥିବା ବେଳେ ମାଲକାନଗିରି ବିଧାନସଭା କ୍ଷେତ୍ରରେ ରହିଛି ୨୫୭ଟି ବୁଥ ଏବଂ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ରହିଛି ୨୪୩ଟି ନିର୍ବାଚନ ମଣ୍ଡଳୀ ।

ଏଥି ମଧ୍ୟରୁ ମାଓବାନୀଙ୍କ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ୧୨୮ଟି ବୁଥକୁ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ସେହିପରି ୯ଟି ଅପହଂଚ ବୁଥରେ ହେଲିକପ୍ଟର ଯୋଗେ ପୁଲିଂ ପାର୍ଟି ପହଂଚାଇବା ଲାଗି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ଦୃଷ୍ଟି କୋଣରୁ ମାଲକାନଗିରି ଜିଲ୍ଲାରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଥିବା ବେଳେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ କରାଯିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ।

ପ୍ରଥମ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୧୧ରେ ମାଲକାଲଗିରିର ସଂସଦୀୟ କ୍ଷେତ୍ର ନବରଙ୍ଗପୁର ସମେତ ୪ଟି ଲୋକସଭାରେ ନିର୍ବାଚନ ହେବାକୁ ଥିବା ବେଳେ ଆଗାମୀ ୧୮ ତାରିଖରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ମାଲକାନଗିରି ଜିଲ୍ଲାପାଳ କହିଛନ୍ତି । ୨୫ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରାଯିବାବେଳେ ୨୬ତାରିଖ ସ୍କୁଟିନି ଏବଂ ୨୮ତାରିଖକୁ ପ୍ରାର୍ଥୀପତ୍ର ପ୍ରତିହାର କରିବା ପାଇଁ ସ୍ଥିର କରାଯାଇଛି । ସେହିଭଳି ଗତକାଲିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ସରାକାରୀ ହୋଡିଂ, ବ୍ୟାନର ଏବଂ ପୋଷ୍ଟର ଆଦି ହଟାଇବା କାର୍ଯ୍ୟକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ ।

ଅବାଧ ନିର୍ବାଚନକୁ ତୁଲାଇବା ପାଇଁ ସମସ୍ତ ବର୍ଗଙ୍କ ସହଯୋଗ ଲୋଡାଯାଇଥିବା ବେଳେ ଆଦର୍ଶ ଆଚରଣ ବିଧିକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଲେ cVIGIL ଆପ ଜରିଆରେ ଜନସାଧାରଣ ଜିଲ୍ଲା ପ୍ରଶାସନ ଏବଂ ନିର୍ବାଚନ ଆୟୋଗକୁ ଅବଗତ କରାଇପାରିବେ । ଏବଂ ତୁରନ୍ତ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ମନିଷ ଅଗ୍ରୱାଲ ।