କନକ ବ୍ୟୁରୋ : ଆସନ୍ତାକାଲି ବହୁ ଚର୍ଚ୍ଚିତ ସ୍ୱାଭିମାନ ଅଞ୍ଚଳରେ ପଡିବ ଭୋଟ । ଦୀର୍ଘ ଏକ ଦଶକ ପରେ ଲାଲଗଡରେ ହେବ ନିର୍ବାଚନ । ଏଥିପାଇଁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅପହଞ୍ଚ ମତଦାନ କେନ୍ଦ୍ରମାନଙ୍କୁ ଜଳପଥ ଦେଇ ପୁଲିଂ କର୍ମଚାରୀ ଯାଇଛନ୍ତି । ସେହିଭଳି ଅତି ସମ୍ବେଦନଶୀଳ ବୁଥଗୁଡିକୁ କଡା ସୁରକ୍ଷା ବଳୟରେ ରଖାଯାଇଛି । ସବୁଠାରୁ ବଡ କଥା ହେଉଛି ମାଓ ଭୟରେ ଗାଁ ଛାଡିଥିବା ବିସ୍ଥାପିତ ଭୋଟ ଦେବା ପାଇଁ ଭିଟାମାଟିକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି, ଲାଲବାହିନୀ ଦ୍ୱାରା ମୃତ୍ୟୁଦଣ୍ଡ ଭୋଗିଥିବା ଗୃହରକ୍ଷୀଙ୍କ ବିଧବା ପତ୍ନୀ ।

Advertisment

ଲାଲଗଡ଼ରେ ହେବ ନିର୍ବାଚନ । ଭୋଟ ଦେବେ ସ୍ୱାଭିମାନୀ ଭୋଟର । ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ଚିତ୍ରକୋଣ୍ଡା ବ୍ଲକର ୨ଟି ଯୋନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଯୋନ ଦୁଇ ବା ସ୍ୱାଭିମାନ ଅଞ୍ଚଳ ଉପରେ ରହିଛି ସମସ୍ତଙ୍କ ନଜର । ଭୋଟ ଦେବ ସ୍ୱାଭିମାନ ଅଞ୍ଚଳ । ଦୀର୍ଘ ଏକ ଦଶନ୍ଧି ପରେ ସ୍ୱାଭିମାନ ଅଞ୍ଚଳରେ ହେବ ମତଦାନ ।

ସ୍ୱାଭିମାନ ଅଞ୍ଚଳର ଅନେକ ଲୋକେ କେବେ ଓ କେମିତି ଭୋଟ ଦେଇଥିଲେ, ତାହା ଜାଣିନାହାନ୍ତି । ତେଣୁ ଏଥର ମତଦାନକୁ ନେଇ ବେଶ ଉତ୍ସାହିତ । ବିଶେଷ କରି ମାଓ ଭୟରେ ଗାଁ ଛାଡିଥିବା ବିସ୍ଥାପିତ ପଞ୍ଚାୟତ ନିର୍ବାଚନରେ ସାମିଲ ହେବା ପାଇଁ ନିଜ ଭିଟାମାଟିକୁ ଫେରିଛନ୍ତି ।

ପଣସପୁଟ ହାଣ୍ଡିଖାଲ ଗାଁର ତୁଳସା ଖିଲୋ । ସ୍ୱାମୀ ଓ ପୁଅକୁ ହତ୍ୟା କରିଛନ୍ତି ମାଓବାଦୀ । ୨୦୧୨ରେ ସ୍ୱାମୀ ମାଣିକ ଖିଲୋଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିବା ମାଓବାଦୀ ୨୦୧୬ରେ ଦଶମ ଶ୍ରେଣୀର ପୁଅ ବିଶ୍ୱନାଥଙ୍କୁ ହତ୍ୟା କରିଥିଲେ । ପରେ ୪ ଛୋଟ ଛୋଟ ପିଲାଙ୍କୁ ଧରି ଚିତ୍ରକୋଣ୍ଡା ଚାଲି ଯାଇଥିଲେ ତୁଳସା । ହେଲେ ଏବେ ଆଉ ମାଓବାଦୀଙ୍କୁ ଡରିବାର ନାହିଁ, ଲାଲବାହିନୀଙ୍କୁ କଡା ଜବାବ ଦେବାକୁ ସ୍ଥିର କରି ଭୋଟ ଦେବା ପାଇଁ ଭିଟାମାଟିକୁ ଫେରିଛନ୍ତି ତୁଳସା ।

୨୦୧୭ ପଞ୍ଚାୟତ ନିର୍ବାଚନରେ ମାଓବାଦୀଙ୍କ ନାଲି ଆଖି ଯୋଗୁଁ ଚିତ୍ରକୋଣ୍ଡାର ୨ଟି ଯୋନରେ ଆଦୌ ମତଦାନ ହୋଇନଥିଲା, ତେବେ ଏଥର ସ୍ୱାଭିମାନ ଅଞ୍ଚଳର ୯ଟି ପଞ୍ଚାୟତରେ ୧୦୬ଟି ବୁଥରେ ମତଦାନ ହେବ । ଏଥିମଧ୍ୟରୁ ୫୪ଟି ଅତି ସମ୍ବେଦନଶୀଳ ବୁଥକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବିଶେଷ କରି ଯନ୍ତ୍ରୀ ପଞ୍ଚାୟତର ସମସ୍ତ ୧୧ଟି ବୁଥକୁ ତଟାଗୁଡା, ଧୁଳିପୁଟ ପଞ୍ଚାୟତର ସମସ୍ତ ବୁଥକୁ ପାପେରମେଟଲା ଓ ମୁତାମ୍ବ ଠାରେ କରାଯାଇଛି । ସେହିଭଳି ରାଲେଗାଡାର ସମସ୍ତ ୧୨ଟି ବୁଥକୁ ହାଟଗୁଡାକୁ ସ୍ଥାନାନ୍ତର କରିଛି ପ୍ରଶାସନ । ମତଦାନ କେନ୍ଦ୍ର ଉପରେ ସୁରକ୍ଷାକର୍ମୀ କଡା ନଜର ରଖିଥିବା ବେଳେ ପୁଲିଂ ପାର୍ଟିଙ୍କୁ ଜଳପଥରେ ପଠାଯାଇଛି ।