କନକ ବ୍ୟୁରୋ: ଶେଷ ହେଇସାରିଛି ଲୋକସଭା ନିର୍ବାଚନ, ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳ । ତେଣୁ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଆଗାମୀ ଲୋକସଭାର ବାଚସ୍ପତି କିଏ ହେବ? ଆଉ ଏହାରି ଭିତରେ ଆସନ୍ତା ଜୁନ୍ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି ।
Election of Lok Sabha Speaker to be held on 26th June 2024
— ANI (@ANI) June 13, 2024
ମିଳିଥିବା ସୂଚନା ମୁତାବକ, ଜୁନ୍ ୨୬ ତାରିଖରେ ଲୋକସଭାରେ ବାଚସ୍ପତି ପଦ ପାଇଁ ଭୋଟ୍ ପଡିବ । ଯେଉଁଥିରେ ସାଂସଦ ମାନେ ବାଚସ୍ପତି ପଦ ପାଇଁ ଭୋଟ୍ ଦେବେ । ତେବେ ଏହା ପୂର୍ବରୁ କାମଚଳା ବାଚସ୍ପତି ପ୍ରଥମେ ସାଂସଦମାନଙ୍କ ଶପଥ ପାଠ କରାଇବେ । ଏହାପରେ ବାଚସ୍ପତି ପଦ ପାଇଁ ଭୋଟିଂ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲୋକସଭାର ବାଚସ୍ପତି କିଏ ହେବ ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି ।
ଗୋଟିଏ ପଟେ ବିଜେପି ଏହି ଆସନରେ ନିଜ ଦଳର କୌଣସି ସାଂସଦଙ୍କୁ ବସାଇବାକୁ ଚିନ୍ତା କରୁଥିିବାବେଳେ, ବାଚସ୍ପତି ପଦ ଉପରେ ଆଖି ରଖିଛନ୍ତି ବିଜେପିର ସହଯୋଗୀ ଟିଡିପି ଏବଂ ଜେଡିୟୁ । ତେଣୁ ବାଚସ୍ପତି ଆସନରେ କିଏ ବସୁଛନ୍ତି ତାହା ଏବେ ଆଲୋଚନାର ବିଷୟ ହେଇଛି । ଖାସ୍ କରି, ଏଥର ବିଜେପି ଏକାକୀ ବହୁମତ ହାସଲ କରିନଥିବାରୁ, ବାଚସ୍ପତି ପଦର ଗୁରୁତ୍ୱ ଢେର୍ ଗୁଣା ବଢିଯାଇଛି । ତେଣୁ ବିଜେପି ଏବେ ବି ଏହି ଆସନରେ ନିଜ ଦଳର ସାଂସଦଙ୍କୁ ବସାଇବାକୁ ଅଙ୍କ କଷୁଛି ।
ବାଚସ୍ପତି ରେସରେ ବିଜେପିର ଅନେକ ଚେହେରା ଆଗରେ ରହିଛନ୍ତି । ଖାସ୍ କରି ଆନ୍ଧ୍ରର ବିଜେପି ମୁଖ୍ୟ ଡି. ପୁରନ୍ଦେଶ୍ୱରୀ ଏହି ରେସରେ ସବୁଠୁ ଆଗରେ ରହିଛନ୍ତି । ଗୋଟିଏ ପଟେ ମହିଳା ଚେହେରା ଏବଂ ଅନ୍ୟପଟେ ଟିଡିପି ମୁଖ୍ୟଙ୍କ ସହ ସମ୍ପର୍କକୁ ନେଇ ପୁରନ୍ଦେଶ୍ୱରୀ ଅନ୍ୟମାନଙ୍କଠାରୁ ଆଗରେ ରହିଛନ୍ତି । ଏହାବାଦ୍ ଓଡିଶାରୁ କଟକ ସାଂସଦ ଭର୍ତ୍ତୁହରି ମହତାବ ମଧ୍ୟ ଅଭିଜ୍ଞତା ଦୃଷ୍ଟିରୁ ବାଚସ୍ପତି ରେସରେ ଆଗୁଆ ଥିବା ଜଣାପଡିଛି । ତେଣୁ ବାଚସ୍ପତି ଆସନରେ କିଏ ବସୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା ।
ସୂଚନାଯୋଗ୍ୟ ଯେ, ୨୦୧୪ ଏବଂ ୨୦୧୯ରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ଆଉ ଦୁଇଟି ପାଳିରେ ଦୁଇ ବିଜେପି ନେତା ଯଥାକ୍ରମେ ସୁମିତ୍ରା ମହାଜନ ଏବଂ ଓମ୍ ବିର୍ଲା ବାଚସ୍ପତି ଆସନରେ ବସିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/32-10.jpg)