ସରକାରୀ କଲେଜରେ ନିର୍ବାଚନୀ ସଭା । ଆଶାୟୀ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପ୍ରିନ୍ସପାଲ ଓ ପୋଲିସ ବାବୁ, ଭାଇରାଲ ହେଲା ଭିଡ଼ିଓ । 

188

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ଆଚରଣବିିଧି ଲାଗୁ ହୋଇଛି ।  କିନ୍ତୁ ଏହାର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  କଲେଜ ଭିତରେ ସବୁ ଆଇନକୁ ଉଲ୍ଲଙ୍ଘନ କରି  ନିର୍ବାଚନୀ ସଭା କରାଯାଇଛି । ଆଉ ଆଶାୟୀ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି କଲେଜର ପ୍ରିନ୍ସିପାଲ ଓ ଏସଡିପିଓ ।

କେନ୍ଦ୍ରାପଡା ମାର୍ଶାଘାଇ ଅଞ୍ଚଳ  ତାରେଣୀ କଲେଜରୁ ଏକ ନିର୍ବାଚନ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖବର ଅନୁସାରେ, ପଞ୍ଚାୟତ ଭୋଟ ପାଇଁ  କଲେଜରେ ଏକ ସଭାର ଆୟୋଜନ କରାଯାଇଥିଲା । ଆଉ ଏହାର ଆୟୋଜକ କଲେଜ ପ୍ରିନ୍ସିପାଲ ଓ ସାଲେପୁର ଏସଡିପିଓ ଥିବା ଅଭିଯୋଗ ହୋଇଛି । ଏପରିକି କଲେଜ ପରିସରରେ ଶହ ଶହ ଲୋକଙ୍କୁ ଏକାଠି କରି ଆଶାୟୀ ସରପଞ୍ଚ ପ୍ରାର୍ଥୀ ଭୋଟ ମାଗୁଥିବାର ଦେଖିବାକୁ ମିଳିଛି ।

ନିର୍ବାଚନ ସମୟରେ କୌଣସି ପ୍ରଚାର କିମ୍ବା ସଭା ହୋଇପାରିବନି ବୋଲି କୁହାଯାଇଥିବା ବେଳେ କିଭଳି ଶହ ଶହ ଲୋକଙ୍କୁ କଲେଜ ଭିତରକୁ ସଭା କରିବାକୁ ଅନୁମତି ମିଳିଥିଲା । ପ୍ରଥମେ ଏହାକୁ ବନ୍ଧୁ ମିଳନ ସଭା କହି ଖସିଯିବାକୁ ଚେଷ୍ଟା କରିଥିଲେ କଲେଜର ଅଧ୍ୟକ୍ଷ । କିନ୍ତୁ ଭିଡ଼ିଓ ସାମ୍ନାକୁ ଆସିବା ପରେ ସବୁ ସତ ପଦାକୁ ଆସିଥିଲା । କିନ୍ତୁ ପ୍ରଶ୍ନ ଉଠୁଛି କଲେଜରେ ଏଭଳି ସଭା କରିବାକୁ ପ୍ରିନ୍ସପାଲ କାହା ଠାରୁ ଅନୁମତି ଆଣିଥିଲେ? ସବୁଠାରୁ ବଡକଥା ହେଲା, ଦୁଇ ସରକାରୀ କର୍ମଚାରୀ  କିଭଳି ଜଣେ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ତାହା ସମସ୍ତଙ୍କୁ ଚକିତ କରିଛି ।