ସଂକ୍ରମଣ ବଢ଼ୁଥିବା ବେଳେ ପଶ୍ଚିମବଙ୍ଗରୁ ଆସୁଛି ଚିନ୍ତାଜନକ ଚିତ୍ର । ହଜାର ହଜାର ଲୋକଙ୍କ ଭିତରେ ରାଲି କରୁଛନ୍ତି ନେତା ଓ ମନ୍ତ୍ରୀ, କରୋନାକୁ ନାହିଁ ଖାତିର ।

ପିପିଲି ପରିପ୍ରେକ୍ଷୀରେ ସୁର କହିଲେ, ରାଲି ବନ୍ଦ ହେଲେ ଭଲ

263

କନକ ବ୍ୟୁରୋ: ନିର୍ବାଚନ ପାଇଁ ହେଉଥିବା ସଭା, ସମାବେଶ ଓ ରାଲିର ଚିତ୍ର ଦେଖିଲେ ଲାଗୁଛି, ସ୍କୁଲ, କଲେଜ୍, ବଜାର, ହାଟ ସବୁ କିଛି ବନ୍ଦ ହୋଇପାରେ, କିନ୍ତୁ ଭୋଟ୍ ପଡ଼ିବ, ପ୍ରଚାର ହେବ, ନେତାଙ୍କ ଜିନ୍ଦାବାଦ-ମୁର୍ଦ୍ଦାବାଦ ଚାଲିବ । ଯେତେବେଳେ ରୋଗୀଙ୍କୁ ହସ୍ପିଟାଲରେ ବେଡ୍ ମିଳୁନି, ଶବ ପାଇଁ ଶ୍ମଶାନରେ ଜାଗା ଅଭାବ ପଡୁଛି, ସଂକ୍ରମଣ ହୁ-ହୁ ହୋଇ ବଢୁଛି, ସେତେବେଳେ ହୁଏତ, ଗଣତନ୍ତ୍ରର ଆଳରେ ସଂକ୍ରମଣକୁ ହାତଠାରି ନିମନ୍ତ୍ରଣ କରାଯାଉଛି ।

କ୍ଷମତା ପାଇଁ ନେତାଙ୍କ ପ୍ରତିଯୋଗିତା ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଟୁଇଟ୍ ଭିନ୍ନ ଏକବାର୍ତା ଦେଉଛି । ଆପଣ କହିପାରନ୍ତି- କଂଗ୍ରେସ, ପ୍ରଚାର ଦୌଡ଼ରେ ପଛରେ ପଡ଼ିଥିବାରୁ ଏଭଳି ଟୁଇଟ୍ କରିଛନ୍ତି । କିନ୍ତୁ କରୋନା କାଳରେ ରାହୁଲଙ୍କ ଟୁଇଟ୍ ଗୁରୁତ୍ୱ ରଖୁଛି ।

ରାହୁଲ ଗାନ୍ଧୀ ଟୁଇଟ୍ କରି ଲେଖିଛନ୍ତି- କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେ ପଶ୍ଚିମବଙ୍ଗରେ ସମସ୍ତ ନିର୍ବଚନୀ ରାଲିକୁ ବାତିଲ କରିଛନ୍ତି । କରୋନା ସମୟରେ ବଡ଼ ବଡ଼ ରାଲିର ପ୍ରଭାବ କ’ଣ ପଡ଼ିପାରେ, ସେ ସମ୍ପର୍କରେ ଅନ୍ୟାନ୍ୟ ରାଜନୈତିକ ଦଳର ଥରେ ଚିନ୍ତା କରିବା ଆବଶ୍ୟକ ବୋଲି ଟୁଇଟ୍ କରି ଲେଖିଛନ୍ତି । ଏପଟେ ସମାନ ଢ଼ଙ୍ଗରେ ପିପିଲିରେ ନିର୍ବାଚନ ରାଲି ବନ୍ଦ ହେଲେ ଭଲ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ନିର୍ବାଚନ ହେଉଥିବା ୫ଟି ରାଜ୍ୟରେ ଉଣା ଅଧିକେ ସମାନ ଚିତ୍ର ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗରେ ଏହି ଧାରା ଏବେ ବି ଜାରି ରହିଛି । ଆଗକୁ ଓଡ଼ିଶାରେ ପିପିଲି ଉପ-ନିର୍ବାଚନ ହେବାକୁ ଯାଉଛି । କିନ୍ତୁ ଓଡ଼ିଶାରେ ସଭା, ସମାବେଶ ଉପରେ କଟକଣା ଲଗାଯାଇଥିବାରୁ ଚିତ୍ର କ’ଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ଆଉ ଏହାରି ଭିତରେ କ୍ଷମତାର ଲଢ଼େଇପାଇଁ ପୁଣି ଥରେ ପ୍ରସ୍ତୁତ ତିନି ପ୍ରମୁଖ ଦଳ ।

ଖରାବେଳେ ହଜାର ହଜାର ଲୋକଙ୍କ ଗହଳି ଭିତରେ ନିର୍ବାଚନ ଜିତିବା ପାଇଁ ସବୁସୀମା ଟପି ଯାଉଥିବା ନେତା ଓ ମନ୍ତ୍ରୀ, ସନ୍ଧ୍ୟାରେ କୋଭିଡ୍ କଟକଣାର ପାଠ ପଢ଼ାଉଛନ୍ତି, ଟୁଇଟ୍ କରି କୋଭିଡ୍ କଟକଣାର କାହାଣୀ କହୁଛନ୍ତି । ବଡ଼ ବଡ଼ ଚେହେରାଙ୍କ ଏହି ଦୋମୁହାଁ ନୀତି ଦେଶ ପାଇଁ କେତେ ବଡ଼ ସଂକଟ ଆଣିଛି, ଆଉ ଏହା ଆହୁରି କେତେ ବ୍ୟାପକ ହେବ ତାହା ଏବେ ଆକଳନ କରିବା ମୁସ୍କିଲ ।