ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ନିର୍ବାଚନ କମିଶନ । ଏଥର ଏଆଇ ଜଗିବ ନିର୍ବାଚନ ।

539

କନକ ବ୍ୟୁରୋ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ତାରିଖ ଏଯାଏଁ ଘୋଷଣା ହୋଇନଥିବା ବେଳେ ଏହାକୁ ନେଇ ଜାରିରହିଛି ଚର୍ଚ୍ଚା । ନିର୍ବାଚନ କମିସନ ମାର୍ଚ୍ଚ ୧୩ତାରିଖ ପରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ସାରା ଦେଶରୁ ୭ରୁ ୮ଟି ପର୍ଯ୍ୟାୟରେ ହୋଇପାରେ ମତଦାନ । ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ରାଜ୍ୟ ଗସ୍ତରେ ଯାଇ ସମୀକ୍ଷା ବୈଠକ କରୁଛନ୍ତି ନିର୍ବାଚନ କମିସନ । ଏହା ପୂର୍ବରୁ ଓଡ଼ିଶା ଗସ୍ତରେ ବି ଆସିଥିଲେ । ବିଭିନ୍ନ ରାଜନୈତିକ ଦଳ ସହ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏବେ ବିହାର ଗସ୍ତରେ ଅଛନ୍ତି ।

ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ କମିସନ ଜମ୍ମୁ-କାଶ୍ମୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ପଶ୍ଚିମବଙ୍ଗର ସମ୍ବେଦନଶୀଳ ବୁଥ୍ ଗୁଡ଼ିକର ତାଲିକା ମାଗିଛନ୍ତି । ନିର୍ବାଚନ ପାଇଁ କିଛି ମାସ ହେବ ପ୍ରସ୍ତୁତି ଚାଲିଥିବା ବେଳେ ଏବେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ନିର୍ବାଚନ କମିସନ ଏଥର ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏଆଇ ସହାୟତା ନେବାକୁ ନିଷ୍ପତ୍ତିି ନେଇଛନ୍ତି । ସୋସିଆଲ ମିଡିଆ ଓ ଡିଜିଟାଲ ପ୍ଲାଟଫର୍ମରେ ମିଥ୍ୟା ତଥ୍ୟକୁ ଏଡ଼ାଇବା ପାଇଁ ଏଆଇର ସହାୟତା ନେବାଲାଗି ଏକ ବିଶେଷ ବିଭାଗ ଗଠନ କରାଯାଇଛି । ୨୦୨୪ଲୋକସଭା ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶ ପାଇଁ ବିଧାନସଭା ନିର୍ବାଚନ ତାରିଖ ବି ଘୋଷଣା କରାଯିବ ।