ଆସନ୍ତାକାଲି ୨୦୨୪ ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା । କେତୋଟି ପର୍ଯ୍ୟାୟରେ ହେବ ନିର୍ବାଚନ, କେବେ ହେବ ଭୋଟ ଗଣତି । ନେତା ଓ ଜନତାଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା ।

234

କନକ ବ୍ୟୁରୋ : ଆସନ୍ତାକାଲି ହେବ ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା । ଅପରାହ୍ନ ୩ଟା ବେଳେ ସାମ୍ବାଦିକ ସମ୍ମଳନୀ କରିବେ ନିର୍ବାଚନ କମିଶନ । ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ । ନୂଆ ଇଲେକସନ୍ କମିଶନଙ୍କ ନିଯୁକ୍ତି ପରେ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତି ହୋଇଛି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି ନିର୍ବାଚନ କମିଶନ୍ । ତେବେ ତାରିଖ ଘୋଷଣା ପରେ ଲାଗୁ ହେବ ଆଦର୍ଶ ଆଚରଣ ବିଧି । ଲୋକସଭା ନିର୍ବାଚନ ସମେତ ଅରୁଣାଚଳପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଓଡିଶା ଓ ସିକ୍କିମରେ ବିଧାନସଭା ନିର୍ବାଚନ ହେବ । ତେବେ କେତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଗତ ୨୦୧୯ରେ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିବାବେଳେ ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ନଜର ପକାଇବା ଗତ ନିର୍ବାଚନର କିଛି ତଥ୍ୟ ଉପରେ ।

୨୦୧୯ ରେ ୭ ଟି ପର୍ଯ୍ୟାୟରେ ହୋଇଥିଲା ନିର୍ବାଚନ
୨୦୧୯ ଏପ୍ରିଲ ୧୧ରୁ ମେ’ ୧୯ ମଧ୍ୟରେ ହୋଇଥିଲା ମତଦାନ
ଏପ୍ରିଲ ୧୧, ୧୮, ୨୩, ୨୯ ଏବଂ ମେ ୬, ୧୨, ୧୯ ତାରିଖରେ ମତଦାନ ହୋଇଥିଲା
ଓଡ଼ିଶାରେ ୪ ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା
ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ ରେ ୪ଟି ଲୋକସଭା, ୨୮ ବିଧାନସଭା ଆସନ ପାଇଁ ମତଦାନ
ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ରେ ୫ଟି ଲୋକସଭା, ୩୫ ବିଧାନସଭା ଆସନ ପାଇଁ ଭୋଟିଂ
ଏପ୍ରିଲ ୨୩ରେ ୬ଟି ଲୋକସଭା, ୪୨ ବିଧାନସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ
ଏପ୍ରିଲ ୨୯ରେ ୬ଟି ଲୋକସଭା, ୪୧ ବିଧାନସଭା ପାଇଁ ଚତୁର୍ଥ ପଯ୍ୟାୟ ଭୋଟ ପଡିଥିଲା
ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଗୋଟିଏ ବିଧାନସଭା ଆସନରେ ହୋଇନଥିଲା ଭୋଟ
ମେ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା
କେନ୍ଦ୍ରରେ ବିଜେପି ୩୦୩ ଓ ଏନଡିଏ ୩୫୩ ଆସନ ଜିତି ସରକାର ଗଢିଥିଲା
ଓଡ଼ିଶାରେ ବିଜେଡି ୧୨, ବିଜେପି ୮ ଓ କଂଗ୍ରେସ ଗୋଟିଏ ଲୋକସଭା ପାଇଥିଲେ
ନିର୍ବାଚନରେ ବିଜେପିକୁ ସର୍ବାଧିକ ୩୭.୩୬% ଭୋଟ ମିଳିଥିଲା
୧୯୮୯ ପରେ ପ୍ରଥମ ଥର ପାଇଁ କୌଣସି ଦଳକୁ ଏତେ ଭୋଟ ମିଳିଥିଲା
ଓଡ଼ିଶାରେ ନବୀନ ପଟ୍ଟନାୟକ ଲଗାତାର ପଂଚମ ଥର ପାଇଁ ସରକାର ଗଢିଥିଲେ
ବିଜେଡି ୧୧୨, ବିଜେପି ୨୩ ଏବଂ କଂଗ୍ରେସ ପାଇଥିଲେ ୯ ଆସନ
ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା ବିଜେପି