କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନର ରାଜୀବ କୁମାର ଆଜି ତାରିଖ ଘୋଷଣା କରିଛନ୍ତି । ଏହି କ୍ରମରେ ନିର୍ବାଚନ ପ୍ରଚାର ସମୟରେ କିଭଳି ପରିବେଶ ଅନୁକୂଳ ସାମଗ୍ରୀର ବ୍ୟବହାର କରାଯିବ ତା ଉପରେ ଗୁରୁତ୍ୱ ଦେବାକୁ ସେ ସମସ୍ତ ରାଜନୈତିକ ଦଳଙ୍କୁ ଅବଗତ କରାଇଛନ୍ତି । ନିର୍ବାଚନ କମିଶନର କହିଛନ୍ତି କି, ପ୍ରଚାର, ସଭା ସମିତି ଓ ବୈଠକରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ଏବଂ ଅଣ ବାୟୋଡିଗ୍ରେଡେବଲ ସାମଗ୍ରୀ ଠାରୁ ଦୂରେଇ ରୁହନ୍ତୁ । ପରିବେଶ ଓ ମାନବ ସ୍ୱାସ୍ଥ୍ୟ ଦୃଷ୍ଟିରୁ ନିର୍ବାଚନ ପ୍ରଚାର ସମୟରେ ପୋଷ୍ଟର, ବ୍ୟାନର ଇତ୍ୟାଦି ପ୍ରସ୍ତୁତ ସମୟରେ ପ୍ଲାଷ୍ଟିକ/ପଲିଥିନ ଏବଂ ଅନୁରୂପ ଅଣବାୟୋଡିଗ୍ରେଡେବଲ ସାମଗ୍ରୀର ବ୍ୟବହାର କରାନଯାଉ । ଏନେଇ ସେ ସମସ୍ତ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଛନ୍ତି ।

ଏହି ପରିପେକ୍ଷୀରେ ୨୦୨୩ ଅଗଷ୍ଟ ୧୮ ତାରିଖରେ ନିର୍ବାଚନକୁ ପରିବେଶ ଅନୁକୂଳ କରିବା ପାଇଁ ଆୟୋଗ ସମସ୍ତ ସିଇଓ ଓ ରଜନୈତିକ ଦଳମାନଙ୍କୁ ଏକ ସଂକଳିତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାବ୍ୟତୀତ ଏ ସଂକ୍ରାନ୍ତରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଉପରେ ତୀକ୍ଷ୍ମ ନଜର ରଖିବାକୁ ଏନଜିଟି ସମସ୍ତଙ୍କୁ କହିଛନ୍ତି ।