ଆରମ୍ଭ ହେଲା ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ମହାପର୍ବ । ଦେଶରେ ୭ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ, ତାରିଖ ଘୋଷଣା କଲେ ନିର୍ବାଚନ କମିସନ

150

କନକ ବ୍ୟୁରୋ : ପ୍ରତୀକ୍ଷାର ଅନ୍ତ ଘଟିଛି । ୨୦୨୪ ପାଇଁ ବାଜିଛି ନିର୍ବାଚନ ବିଗୁଲ । ମୁଖ୍ୟ ନିର୍ବାଚନ କମିଶନର ସାଧାରଣ ନିର୍ବାଚନ ପାଇଁ ତାରିଖ ବି ଘୋଷଣା କରିଦେଇଛନ୍ତି   । ଦେଶରେ ୪୩ ଦିନରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ । ଆଉ ଜୁନ ୪ ତାରିଖରେ ହେବ ଭୋଟଗଣତି । ତାରିଖ ଘୋଷଣା ସହ ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।

ନିର୍ବାଚନ ତାରିଖ ଘୋଷଣା କରି ନିର୍ବାଚନ କମିଶନ କହିଛନ୍ତି ନିର୍ବାଚନ ପାଇଁ କମିଶନଙ୍କ ଟିମ୍ ପ୍ରସ୍ତୁତ ହୋଇ ରହିଛି । ଏଥର ମୋଟ ୯୬ କୋଟି ୮୦ ଲକ୍ଷ ଭୋଟର ମତଦାନ କରିବେ । ଏମାନଙ୍କ ମଧ୍ୟରେ ପୁରୁଷ ଭୋଟର ୪୯ କୋଟି ୭୦ ଲକ୍ଷ ହୋଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୭ କୋଟି ୧୦ ଲକ୍ଷ । ନିର୍ବାଚନ ପାଇଁ ୧୦ ଲକ୍ଷ ୫୦ ହଜାର ପୋଲିଂ ବୁଥ ରହିବ ଓ ୫୫ ଲକ୍ଷ ଇଭିଏମ ବ୍ୟବହାର ହେବ । ଏଥର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ ।

୭ଟି ପର୍ଯ୍ୟାୟରେ ଭୋଟ୍
୧୯ ଏପ୍ରିଲ
୨୬ ଏପ୍ରିଲ
୭ ମେ
୧୩ ମେ
୨୦ ମେ
୨୫ ମେ
୧ ଜୁନ
ଏବେ ଆସନ୍ତୁ ଜାଣିବା କେଉଁ ପର୍ଯ୍ୟାୟରେ କେତୋଟି ଆସନରେ ନିର୍ବାଚନ ହେବ ।
ପ୍ରଥମ ପର୍ଯ୍ୟାୟ: ୧୯ ଏପ୍ରିଲରେ ୧୦୨ଟି ଆସନରେ ଭୋଟ୍ ହେବ
ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ: ୨୬ ଏପ୍ରିଲରେ ୮୯ ଆସନରେ ଭୋଟ ହେବ
ତୃତୀୟ ପର୍ଯ୍ୟାୟ: ୭ମେରେ ୯୪ଆସନରେ ଭୋଟଗ୍ରହଣ କରାଯିବ
ଚତୁର୍ଥ ପର୍ଯ୍ୟାୟ: ୧୩ ମେରେ ୯୬ ଆସନରେ ଭୋଟଗ୍ରହଣ ହେବ
ପଞ୍ଚମ ପର୍ଯ୍ୟାୟ: ୨୦ ମେରେ ୪୯ ଆସନରେ ଭୋଟ ପଡିବ
ଷଷ୍ଠ ପର୍ଯ୍ୟାୟ: ୨୫ ମେରେ ୫୭ ଆସନରେ ଭୋଟଗ୍ରହଣ ହେବ
ସପ୍ତମ ପର୍ଯ୍ୟାୟ: ଜୁନ ୧ ରେ ୫୭ ଆସନରେ ଭୋଟଗ୍ରହଣ କରାଯିବ

ନିର୍ବାଚନ ତାରିଖ ଘୋଷଣା କରି ନିର୍ବାଚନ କମିଶନ କହିଛନ୍ତି, ୮୫ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗ ଭୋଟର ଘରେ ରହି ଭୋଟ ଦେଇପାରିବେ । ଦେଶରେ ୮୫ବର୍ଷରୁ ଅଧିକ ଭୋଟରଙ୍କ ସଂଖ୍ୟା ୮୨ ଲକ୍ଷ ହୋଇଥିବାବେଳେ ଶତାୟୁ ଭୋଟର ୨ ଲକ୍ଷ ୧୮ ହଜାର ଥିବା ଜଣାପଡିଛି ।

ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଗଣତନ୍ତ୍ରର ମହାପର୍ବ ଆସିଯାଇଛି । ବିଜେପି-ଏନଡିଏ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ରହିଛି । ସୁଶାସନକୁ ନେଇ ମେଂଟ ଲୋକଙ୍କ ପାଖକୁ ଯିବ ।