ନିର୍ବାଚନ କମିଶନରେ ବିରୋଧାଭାଷ । ମୋଦିଙ୍କୁ କ୍ଲିନଚିଟ ମାମଲାରେ ଅଳ୍ପମତକୁ ଦିଆଯାଇନଥିଲା ଗୁରୁତ୍ୱ, ବିରୋଧ କରି ବୈଠକରୁ ଦୂରେଇ ରହିଲେ ନିର୍ବାଚନ କମିଶନର ଅଶୋକ ଲଭାସା !

294

କନକ ବ୍ୟୁରୋ : ନିର୍ବାଚନ କମିଶନରେ ବିରୋଧାଭାସ । କମିଶନଙ୍କ ବୈଠକରୁ ଦୂରେଇ ରହିଲେ ନିର୍ବାଚନ କମିଶନର ଅଶୋକ ଲଭାସା । ଜାତୀୟ ଗଣମାଧ୍ୟମ ଏନଡିଟିଭିର ରିପୋର୍ଟ ଅନୁସାରେ ତିନି ଜଣିଆ ନିର୍ବାଚନ କମିଶନରେ ତାଙ୍କ ମତ ଶୁଣାଯାଉନଥିବାରୁ ଏଭଳି ନିଷ୍ପତି ନେଇଛନ୍ତି ଅଶୋକ ଲଭାସା । ଏପରିକି କମିଶନରେ ଅଳ୍ପମତକୁ ରେକର୍ଡ କରାଯାଉନଥିବାରୁ ସେ ବୈଠକରୁ ଦୂରେଇ ରହିବାକୁ ନିଷ୍ପତି କରିଥିଲେ । ମେ’ ୪ ପରେ ସେ ନିର୍ବାଚନ କମିଶନଙ୍କ ବୈଠକରୁ ନିଜକୁ ଦୂରେଇ ରଖିଥିଲେ । ଏପରିକି ମୁଖ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି  ଏ ବାବଦରେ ମଧ୍ୟ ଅବଗତ କରାଇଥିଲେ ଲଭାସା ।

ଏହାଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆସିଥିବା ଆଚରଣବିଧି ଉଲ୍ଲଂଘନ ମାମଲାରେ ତାଙ୍କ ମତକୁ ରେକର୍ଡ କରାଯାଇନଥିଲ । ତାଙ୍କ ମତକୁ ଅଣଦେଖା କରି ପ୍ରାୟ ୬ଟି ଆଦର୍ଶ ଆଚରଣବିଧି ଉଲ୍ଲଂଘନ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ୍ ଦେଇଥିଲେ ଭାରତୀୟ ନିର୍ବାଚନ କମିଶନ୍ । ଏପରିକି ଏପ୍ରିଲ ୨୧ରେ ମୋଦି ଦେଇଥିବା ଭାଷଣରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଏଥିରେ ମୋଦିଙ୍କୁ କ୍ଲିନଚିଟ୍ ଦିଆଯାଇଥିଲା । ସେତେବେଳେ ମଧ୍ୟ ତାଙ୍କ ମତକୁ ଅଣଦେଖା କରାଯାଇଥିଲା ।  କମିଶନରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ସହ  ଅଶୋକ ଲଭାସା ଓ ସୁଶୀଲ ଚନ୍ଦ୍ରା ଦୁଇ ସଦସ୍ୟ  କମିଶନର ଅଛନ୍ତି ।

ଏହାପୂର୍ବରୁ ଚଳିତ ନିର୍ବାଚନରେ ବାରମ୍ବାର ନିର୍ବାଚନ କମିଶନଙ୍କ ନିଷ୍ପତିକୁ ନେଇ ପ୍ରଶ୍ନ ଉଠିଛି । ପଶ୍ଚିମବଙ୍ଗରେ ଯେଉଁଭଳି ଭାବେ ନିର୍ବାଚନ ପ୍ରଚାରକୁ ଗୋଟିଏ ଦିନ ପୂର୍ବରୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଥିଲା ତାହାକୁ ନେଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛି ବୋଲି ଅଭିଯୋଗ ଆଣିଥିଲେ ମମତା । ସେହିଭଳି ମୋଦିଙ୍କ ଭାଷଣ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ବିରୋଧୀ ବାରମ୍ବାର ଅଭିଯୋଗ ଆଣିଥିଲେ ମଧ୍ୟ ନିର୍ବାଚନ କମିଶନ ମୋଦିଙ୍କୁ କ୍ଲିନଚିଟ ଦେଇଥିଲେ । ଯାହାକୁ ନେଇ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ ବିରୋଧୀ ।

ସେହିଭଳି ସମ୍ବଲପୁରରେ ମୋଦିଙ୍କୁ ହେଲିକ୍ଟପର ଯାଞ୍ଚ ପ୍ରସଙ୍ଗରେ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ମହମ୍ମଦ ମହସିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ନିର୍ବାଚନ କମିଶନ । କିନ୍ତୁ ପରବର୍ତ୍ତୀ ସମୟରେ ନିର୍ବାଚନ କମିଶନଙ୍କ ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଥିଲେ ସ୍ୟାଟ୍ । ସେତେବେଳେ ମଧ୍ୟ ନିର୍ବାଚନ କମିଶନଙ୍କ ଏଭଳି ନିଷ୍ପତି ପାଇଁ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡିଥିଲା । ଏହାଛଡା ବଡ ବଡ ନେତାଙ୍କୁ ପ୍ରଚାରରୁ ସାମୟିକ ସମୟ ପାଇଁ ବନ୍ଦ କରି ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିଲେ ନିର୍ବାଚନ କମିଶନ ।