ନିର୍ବାଚନ ପ୍ରତିଶ୍ରୁତି ପୂରା କରିବା ପାଇଁ କେଉଁଠୁ ଆସିବ ଟଙ୍କା? ରାଜନୈତିକ ଦଳ ଠାରୁ ତଥ୍ୟ ହାସଲ ପାଇଁ ପ୍ରସ୍ତୁତ ହେଉଛନ୍ତି ନିର୍ବାଚନ ଆୟୋଗ।

62

କନକ ବ୍ୟୁରୋ: ଗୁଜରାଟ ଏବଂ ହିମାଚଳପ୍ରଦେଶରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ନିର୍ବାଚନ ଆୟୋଗ ମିଛ ନିର୍ବାଚନୀ ପ୍ରତିଶ୍ରୁତି ଏବଂ ରାବିଡି କଲଚର ଉପରେ ଲଗାମ ଲଗାଇବା ପାଇଁ ରାଜନୈତିକ ଦଳ ପାଇଁ ଗୋଟିଏ ନୂଆ ଫର୍ମ ଜାରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଫର୍ମଟି ଆଦର୍ଶ ଆଚରଣ ବିଧିର ଗୋଟିଏ ପ୍ରକ୍ରିୟା ହେବ । ଏହା ଜରିଆରେ ସବୁ ରାଜନୈତିକ ଦଳଙ୍କୁ ସ୍ପଷ୍ଟ କରିବାକୁ ହେବ ଯେ ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ସେମାନେ ଟଙ୍କା କେଉଁଠାରୁ ଆଣିବେ ?

ବର୍ତ୍ତମାନ ନିର୍ବାଚନ ଆୟୋଗ ଏନେଇ ବିଭିନ୍ନ ରାଜନୈତିକ ଦଳଙ୍କୁ ସେମାନଙ୍କ ମତ ଦେବାକୁ କହିଛନ୍ତି । ଅକ୍ଟୋବର ୧୯ ସୁଦ୍ଧା ସେମାନଙ୍କୁ ଜବାବ ଦେବାକୁ କୁହାଯାଇଛି । ଯଦି ଗୋଟିଏ ଥର ରାଜନୈତିକ ଦଳ ଭିତରେ ସହମତି ହୁଏ ତେବେ ଆଗାମୀ ନିର୍ବାଚନରେ ଏହା ଲାଗୁ କରାଯିବ ।

ନିର୍ବାଚନ ଆୟୋଗରୁ ମିଳିଥିବା ସୂଚନା ଆଧାରରେ ରାଜନୈତିକ ଦଳଙ୍କୁ ପ୍ରତିଶ୍ରୁତି ଦେବାରୁ ରୋକାଯାଇପାରିବ ନାହିଁ । ତେବେ ମତଦାତାଙ୍କୁ ମଧ୍ୟ ଏହା ଜାଣିବାର ଆବଶ୍ୟକତା ରହିଛି ଯେ, କେଉଁଭଳି ଭାବେ ଏହି ସମସ୍ତ ପ୍ରତିଶ୍ରୁତି ପୂରଣ ହେବ । ଏହି କାରଣରୁ ନିର୍ବାଚନ ଆୟୋଗ ଚାହୁଁଛନ୍ତି ଯେ ବିଭିନ୍ନ ରାଜନୈତିକ ଦଳ, ରାଜ୍ୟ ତଥା କେନ୍ଦ୍ର ସରକାର ନିକଟରୁ ବିସ୍ତୃତ ତଥ୍ୟ ହାସଲ କରିହେବ । ଏହା ଦ୍ୱାରା ଭୋଟରମାନେ ରାଜନୈତିକ ଦଳଙ୍କ ମଧ୍ୟରେ ତୁଳନା କରିପାରିବେ ।