ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ ! କହିଲେ , ନିର୍ବାଚନ କମିଶନ କ’ଣ ଶୋଇଛନ୍ତି ?
ନିର୍ବାଚନୀ ସଭା,ରାଲି ଆଦିରେ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରିବା ଏବଂ ସାମ୍ପ୍ରଦାୟିକ ମନ୍ତବ୍ୟ ଦେବା ଆଦି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ନିର୍ବାଚନ କମିଶନଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । ନିର୍ବାଚନ କମିସନ କ’ଣ ଶୋଇଛନ୍ତି ବୋଲି ମନ୍ତବ୍ୟ ମଧ୍ୟ ସୁପ୍ରିମକୋର୍ଟ ଦେବାକୁ ପଛାଇ ନାହାନ୍ତି । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ମନ୍ତବ୍ୟ ଦେଉଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିର୍ବାଚନ କମିସନଙ୍କ ଦାୟିତ୍ୱ । ଏସବୁ ବିଷୟକୁ ଧରି କମିସନ ଶୋଇ ପଡିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଏସପି ସୁପ୍ରିମୋ ମାୟାବତୀ ଦେଇଥିବା ମନ୍ତବ୍ୟକୁ ନେଇ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏପରିକି ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ନିର୍ବାଚନ କମିସନଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କୁ ଅଦାଲତରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତିି । ଶୁଣାଣି ବେଳେ ନିର୍ବାଚନ କମିସନ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ , ତାଙ୍କ କ୍ଷମତା ପରିସର ବହୁତ ସୀମିତ । ସେମାନେ କେବଳ ନୋଟିସ୍ ଜାରି କରିପାରିବେ,ପରାମର୍ଶ ଦେଇପାରିବେ ଏବଂ ଦଳ ବିରୋଧରେ ଅଭିଯୋଗ ଦାଖଲ କରିପାରିବେ । ଏହା ବାଦ କମିସନଙ୍କ ଅଧିକ କିଛି କ୍ଷମତା ନାହିଁ । ଏହା ଶୁଣିବା ପରେ ସୁପ୍ରିମକୋର୍ଟ ନିର୍ବାଚନ କମିସନଙ୍କ କ୍ଷମତା ପରିସର ନେଇ ଅନୁଧ୍ୟାନ କରିବେ ବୋଲି କହିଥିଲେ । ଯେତେବେଳେ ଏଭଳି ମନ୍ତବ୍ୟ ନେତାମାନେ ଦେଉଛନ୍ତି କମିଶନ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ । ଆଜି ପର୍ଯ୍ୟନ୍ତ ତୁମେ କିଛି କାର୍ଯ୍ୟାନୁଷ୍ଠାନ ନେଇନାହଁ ବୋଲି କୋର୍ଟ କହିଥିଲେ ।
ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଅମିତ ଶର୍ମା ପରିଚାଳନା କରୁଛନ୍ତି । ନିର୍ବାଚନ ପ୍ରଚାର ବେଳେ ନେତାମାନେ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରିବା ଭଳି ଯେଉଁ ସାମ୍ପ୍ରଦାୟିକ ଏବଂ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ବାଚନ କମିଶନଙ୍କର କ୍ଷମତା ନାହିଁ । ନିର୍ବାଚନ କମିଶନ ‘ଦନ୍ତହୀନ’ ଏବଂ ‘କ୍ଷମତାହୀନ’ ବୋଲି ସେ କହିଥିଲେ । ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉ ଥିବାବେଳେ ନିର୍ବାଚନ କମିଶନ କ’ଣ କରୁଥିଲେ ବୋଲି ସୁପ୍ରିମକୋର୍ଟ ପଚାରିବା ପରେ ଆଇନଜୀବୀ ଶ୍ରୀ ଶର୍ମା ଉପରୋକ୍ତ ମନ୍ତବ୍ୟ ଦେଇଥିଲେ । ନିର୍ବାଚନ ପ୍ରଚାର ବେଳେ ଧର୍ମ ଏବଂ ସମ୍ପ୍ରଦାୟ ଆଧାରରେ ଯେଉଁ ନେତାମାନେ ଭାଷଣ ଦେଉଛନ୍ତି ସେମାନଙ୍କ ବିରୋଧରେ କମିଶନ କାର୍ଯ୍ୟାନୁଷ୍ଠାନ ନେଇପାରିବେ କି ନାହିଁ ତାହା ଅଦାଲତ ଜାଣିବାକୁ ଚାହିଁଥିଲେ । ଆଇନଜୀବୀ ଯେତେବେଳେ କହିଲେ ଯେଉଁମାନେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ସେମାନଙ୍କୁ ନୋଟିସ୍ ପଠାଯାଇ ସେମାନଙ୍କ ଠାରୁ ଉତ୍ତର ଲୋଡାଯାଉଛି । ଏହାପରେ ପ୍ରଧାନ ବିଚାରପତି କେତେ ନୋଟିସ୍ ପଠାଯାଇଛି ଏବଂ କେଉଁମାନଙ୍କ ବିରୋଧରେ ପଠାଯାଇଛି ତାହା ଜାଣିବାକୁ ଚାହିଁଥିଲେ । ନିର୍ଦ୍ଧିଷ୍ଟ ଭାବେ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବା ପ୍ରଶ୍ନ କଲା ବେଳେ ଏହି ମାମଲା ଫଇସଲା ହୋଇସାରି ବନ୍ଦ କରାଯାଇଛି ବୋଲି ସେ କହିଥିଲେ । ତେବେ ଯୋଗୀ ଆଦିତ୍ୟନାଥ ଏକାଧିକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ଭାରତୀୟ ସେନାକୁ ମୋଦୀଙ୍କ ସେନା କହିବା ସହ ଅଲ୍ଲି ବଜରଙ୍ଗବାଲୀ ଭଳି ମନ୍ତବ୍ୟ ମଧ୍ୟ ଦେଇଥିଲେ ।