ବିରୋଧୀଙ୍କୁ ଝଟକା: ଇଭିଏମ ସହ ଭିଭିପାଟ୍ ମିଳାଇବା ପାଇଁ ବିରୋଧୀ ଦଳଙ୍କ ଆବେଦନକୁ ଖାରଜ କଲେ ନିର୍ବାଚନ କମିଶନ

232

କନକ ବ୍ୟୁରୋ: ବିରୋଧୀଙ୍କୁ ନିର୍ବାଚନ କମିଶନଙ୍କ ଝଟକା । ଇଭିଏମ ସହ ଭିଭିପାଟ ସ୍ଲିପ ମିଶାଇବା ପାଇଁ ବିରୋଧୀ ଦଳର ଅନୁରୋଧଙ୍କୁ ନିର୍ବାଚନ କମିଶନ ଖାରଜ କରିଦେଇଛନ୍ତି । ଦିଲ୍ଲୀରେ ବସିଥିବା ନିର୍ବାଚନ କମିଶନଙ୍କ ବୈଠକରେ ଏହି ନିଷ୍ପତି ହୋଇଛି । କମିଶନ କହିଛନ୍ତି, ବର୍ତମାନ ଦାବି ଉପରେ ଦୃଷ୍ଟି ଦେବା ସମ୍ଭବ ନୁହେଁ । ଗତକାଲି କଂଗ୍ରେସ ସମେତ ୨୨ଟି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଏହା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଗଣତି ସମୟରେ ଭିଭିପାଟ୍ ସ୍ଲିପ୍କୁ ଶତପ୍ରତିଶତ ଇଭିଏମ୍ ସହିତ ମେଳ ଖୁଆଇବାକୁ ଦାବି କରିଥିଲେ ବିରୋଧୀ ।

ଗଣତି ବେଳେ କୌଣସି ବି ପୁଲିଂ ବୁଥର ଇଭିଏମ ଓ ଏହାର ଭିଭିପାଟ୍କୁ ମେଳ ଖୁଆଇବାକୁ ବିରୋଧୀ କହିଥିଲେ । ଏତିକି ବେଳେ ଯଦି କୌଣସି ବି ତ୍ରୁଟି ଦେଖାଗଲା ତେବେ ସେହି ନିର୍ବାଚମଣ୍ଡଳିର ସମସ୍ତ ଇଭିଏମକୁ ଭିଭିପାଟ୍ ସହିତ ମେଳ ଖୁଆଇବାକୁ ଏହି ଦଳଗୁଡିକ ଦାବି କରିଥିଲେ । ପୂର୍ବରୁ ଏହି ସମ୍ପର୍କିତ ଏକ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇସାରିଛି । ଏଥିରେ ହସ୍ତକ୍ଷେପ କରିବେନି ବୋଲି ସର୍ବୋଚ୍ଚ ଅଦାଲତ କହିସାରିଛନ୍ତି । ସେପଟେ ନିର୍ବାଚନ କମିଶନ ମଧ୍ୟ ବିରୋଧୀ ଆଣିଥିବା ଇଭିଏମ୍ ଟାମ୍ପରିଂ ଅଭିଯୋଗକୁ ଭିତିହୀନ ବୋଲି କହି ଖଣ୍ଡନ କରିସାରିଛନ୍ତି ।