ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି, ରାଲି ଓ ରୋଡ ସୋ ଉପରେ ଗୋଟିଏ ସପ୍ତାହ ବଢିଲା କରୋନା କଟକଣା

131

କନକ ବ୍ୟୁରୋ : କରୋନା ମହାମାରୀକୁ ନଜରରେ ରଖି କେନ୍ଦ୍ର ନିର୍ବାଚନ ଆୟୋଗ ୫ ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ରୋଡ ସୋ ଓ ରାଲି ଉପରେ ଲାଗିଥିବା କଟକଣାକୁ ଆଉ ଗୋଟିଏ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି । ଅର୍ଥାତ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ମୁତାବକ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ମୁତାବକ ରାଜନୈତିକ ଦଳମାନେ ଏବେ ବଡ ଧରଣର ରୋଡ ସୋ କିମ୍ବା ରାଲି କରିପାରିବେ ନାହିଁ । ଏହାସହ ଇନଡୋର ବୈଠକରେ ସର୍ବାଧିକ ୩୦୦ ଲୋକ ସାମିଲ ହୋଇପାରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସବୁ ସଭା ଓ ଜନ ସମାରୋହରେ ସାମାଜିକ ଦୂରତା ଓ ମାସ୍କ ଉପରେ ଗୁରୁତ୍ୱ ଦେବାକୁ ରାଜନୈତିକ ଦଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି  । କୋଭିଡ କଟକଣା ଉଲଙ୍ଘନ କଲେ ନେତାମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ୟୁପି ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶର ୩ ଜଣ ଜିଲ୍ଲାପାଳ ଓ ଜଣେ ଏସପିକୁ ହଟେଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜିଲ୍ଲାପାଳମାନଙ୍କ ମଧ୍ୟରେ ରହିଛନ୍ତି ବରେଲୀ, ଫିରୋଜାବାଦ ଓ କାନପୁରର ଜିଲ୍ଲାପାଳ ।