ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି, ରାଲି ଓ ରୋଡ ସୋ ଉପରେ ଜାରି ରହିବ ପୂର୍ବ କଟକଣା

110

କନକ ବ୍ୟୁରୋ : ଫେବୃଆରୀ ମାସରୁ ୫ ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । କରୋନା ମହାମାରୀ ଭିତରେ ନିର୍ବାଚନ ହେଉଥିବାରୁ ନିର୍ବାଚନ କମିଶନ କିଛିଦିନ ପୂର୍ବେ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ରାଲି ଓ ରୋଡ ସୋ ଉପରେ କଟକଣା ଲଗାଇଥିଲେ । ଏହାର ଅବଧି ଆଜି ସମାପ୍ତ ହେଉଥିବାରୁ ଏହି କଟକଣା ବଳବତ୍ତର ରହିବ କି ନାହିଁ ତା ଉପରେ ଏକ ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକର ନିଷ୍ପତ୍ତି ମୁ୍ତାବକ ରାଲି ଓ ରୋଡ ସୋ ଉପରେ ପୂର୍ବରୁ ଜାରି କରାଯାଇଥିବା କଟକଣା ଏବେ ବଳବତ୍ତର ରହିବ ।

କହିରଖୁ କି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁ୍ତାବକ ଏବେ ଏବେ ଇନୋଡର ବୈଠକରେ ସର୍ବାଧିକ ୩୦୦ ଲୋକ ସାମିଲ ହୋଇପାରିବେ । ଏହାସହ ବଡ ରାଲି ଓ ରୋଡ ସୋ ଉପରେ ନିର୍ବାଚନ କମିଶନ ପୂର୍ବରୁ ଲଗାଇଥିବା କଟକଣା ଜାରି ରହିବ ବୋଲି କୁହାଯାଇଛି ।

କହିରଖୁ କି ଏବେ ଦେଶରେ କରୋନାର ତୃତୀୟ ଲହର ଚାଲିଛି । ଏହାସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଦେଶବାସୀ ଭୟଭିତ ଥିବା ବେଳେ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନରେ ବଡ ରାଲି, ରୋଡ ସୋ ଓ ପ୍ରଚାରରେ କିଭଳି ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ସୁନିଶ୍ଚିତ କରାଯାଇପାରିବ ତାହା ଉପରେ ନଜର ରଖିଛନ୍ତି ନିର୍ବାଚନ ଆୟୋଗ ।

ଏତେ ସବୁ କଟକଣା ଭିତରେ ନେତାମାନେ ହଜାର ହଜାର ଲୋକଙ୍କୁ ଠୁଳ କରି ଶୋଭାଯାତ୍ରା ଓ ସମାରୋହ କରୁଥିବା ଦେଖିବାକୁ ମିଳିଛି । ଏନେଇ କିଛି ନେତାଙ୍କ ଉପରେ ବି କୋଭିଡ କଟକଣା ନିୟମ ଉଲଙ୍ଘନ କରୁଥିବା ନେଇ ମାମଲା ଦାୟର ହୋଇଛି ।