ମହଙ୍ଗା ପଡିବ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । ଇଭିଏମ ପାଇଁ ପ୍ରତି ୧୫ ବର୍ଷକୁ ଥରେ ଖର୍ଚ୍ଚ ହେବ ୧୦ ହଜାର କୋଟି । କେନ୍ଦ୍ରକୁ ଜଣାଇଲେ ନିର୍ବାଚନ କମିଶନ ।

139

କନକ ବ୍ୟୁରୋ: ମହଙ୍ଗା ପଡିବ ଗୋଟିଏ ଦେଶ, ଏକ ନିର୍ବାଚନ । ଇଭିଏମ ପାଇଁ ପ୍ରତି ୧୫ ବର୍ଷକୁ ଥରେ ଖର୍ଚ୍ଚ ହେବ ୧୦ ହଜାର କୋଟି । ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରିଛନ୍ତି ନିର୍ବାଚନ କମିଶନ । ଗୋଟିଏ ସମୟରେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ଆୟୋଜନ ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ ପଠାଇଥିବା ରିପୋର୍ଟରେ କହିଛନ୍ତି, ଇଲୋକ୍ଟ୍ରୋନିକ ଭୋଟିଂ ମେସିନ୍( ଇଭିଏମ)ର ଜୀବନ କାଳ ହେଉଛି ୧୫ ବର୍ଷ । ୧୫ ବର୍ଷ ପରେ ଇଭିଏମ ବଦଳାଇବାକୁ ପଡିବ । କମିଶନରଙ୍କ ଆକଳନ ଅନୁଯାୟୀ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ୧୧ ଲକ୍ଷ ୮୦ ହଜାର ପୋଲିଂ ବୁଥ ହେବ । ଆଉ ଯଦି ଗୋଟିଏ ସମୟରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହୁଏ, ତେବେ ଦୁଇଟି ଇଭିଏମର ଆବଶ୍ୟକତା ପଡିବ । ଅର୍ଥାତ୍ ପ୍ରାୟ ୨୪ ଲକ୍ଷ ଇଭିଏମର ଆବଶ୍ୟକତା ପଡିବ । ଏଥିସହ ପ୍ରତି ଇଭିଏମ ପାଇଁ ଗୋଟିଏ ଲେଖାଏଁ କଂଟ୍ରୋଲ ୟୁନିଟ୍ ଏବଂ ଭୋଟ ଭେରିଫିକେସନ ପେପର ମେସିନର ମଧ୍ୟ ଆବଶ୍ୟକତା ପଡିବ । ସେହିପରି ଇଭିଏମ ରଖିବାକୁ ସୁରକ୍ଷିତ ସ୍ଥାନ. ଅଧିକ ଗାଡି, ଅଧିକ ନିର୍ବାଚନ ଅଧିକାରୀ ଓ କର୍ମଚାରୀ ମଧ୍ୟ ନିଯୁକ୍ତ କରାଯିବ । ତେଣୁ ଏସବୁକୁ ଦେଖିଲେ ଏବେ ଏକକ ନିର୍ବାଚନ ସମ୍ଭବ ନୁହେଁ । କିନ୍ତ ସରକାର ଚାହିଁଲେ ୨୦୨୯ ବେଳକୁ ଏକକ ନିର୍ବାଚନ ହୋଇପାରିବ ।