କନକ ବ୍ୟୁରୋ: ଜାମ୍ମୁକାଶ୍ମୀର ଓ ହରିୟାଣାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି ତାରିଖ ଘୋଷଣା କରିଛନ୍ତି । ତେବେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଜାମ୍ମୁକାଶ୍ମୀରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ ।

ମୁଖ୍ୟ ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ, ଜାମ୍ମୁକାଶ୍ମୀରରେ ପ୍ରଥମେ ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡିବ । ଏହାପରେ ସେପ୍ଟେମ୍ବର ୧୯ରେ ଦ୍ୱିତୀୟ ପର୍ଯ୍ୟାୟ ଓ ଅକ୍ଟୋବର ୧ରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପଡିବ । ଏହାପରେ ଅକ୍ଟୋବର ୪ ତାରିଖରେ ଭୋଟ୍ ଗଣତି ହେଇ ରେଜଲ୍ଟ ପ୍ରକାଶ ପାଇବ । ଅନ୍ୟପଟେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ପଡିବ । ଅକ୍ଟୋବର ୧ରେ ଭୋଟ୍ ଗ୍ରହଣ କରାଯାଇ ଅକ୍ଟୋବର ୪ରେ ରେଜଲ୍ଟ ପ୍ରକାଶ ପାଇବ ।

ମିଳିଥିବା ସୂଚନା ମୁତାବକ, ଜାମ୍ମୁକାଶ୍ମୀର ବିଧାନସଭା ସିଟର ସଂଖ୍ୟା ଏବେ ବୃଦ୍ଧି ପାଇ ୯୦ରେ ପହଞ୍ଚିଛି । ଏହା ମଧ୍ୟରୁ ଜାମ୍ମୁର ୪୩ ଏବଂ କାଶ୍ମୀରର ଏବେ ୪୭ ବିଧାୟକ ରହିବେ । ଏହାସହ ପିଓକେ ପାଇଁ ମଧ୍ୟ ୨୪ଟି ସିଟ୍ ରିଜର୍ଭ ରଖାଯାଇଛି, ହେଲେ ସେଠାରେ କିନ୍ତୁ ନିର୍ବାଚନ ହେବ ନାହିଁ । ଅନ୍ୟପଟେ ହରିୟାଣାର ୯୦ଟି ସିଟରେ ମଧ୍ୟ ଗୋଟିଏ ପର୍ୟ୍ୟାୟରେ ଭୋଟ୍ ପଡିବ । ଏଥିପାଇଁ ମୋଟ ୨୦ ହଜାର ୨୬୯ ପୋଲିଂ ଷ୍ଟେସନ୍ ପ୍ରସ୍ତୁତ କରାଯିବ । ଖାଲି ସେତିକି ନୁହେଁ ହରିୟାଣାରେ ଏଥର ୧୫୦ରୁ ଅଧିକ ମଡେଲ୍ ପୋଲିଂ ବୁଥ୍ ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁକାଶ୍ମୀରରେ ନିର୍ବାଚନ ହେବାକୁ ଯାଉଛି । ଶେଷ ଥର ପାଇଁ ୨୦୧୪ରେ ସେଠାରେ ନିର୍ବାଚନ ହେଇଥିଲା । ସେ ସମୟରେ ୮୭ ସିଟରୁ ପିଡିପି ୨୮, ବିଜେପି ୨୫, ନ୍ୟାସନାଲ କନଫରେନ୍ସ ୧୫ ଓ କଂଗ୍ରେସ ୧୨ଟି ସିଟରେ ବିଜୟୀ ହେଇଥିଲେ । ଯାହାପରେ ବିଜେପି ଏବଂ ପିଡିପି ମିଶି ସେଠାରେ ସରକାର ଗଠନ କରିଥିଲେ । ତେବେ ୨୦୧୮ ମସିହା ଜୁନ୍ ୧୯ ତାରିଖରେ ବିଜେପି-ପିଡିପି ମେଣ୍ଟ ଭାଙ୍ଗିଯାଇଥିଲା । ଆଉ ରାଜ୍ୟପାଳ ଶାସନ ଲାଗୁ ହେଇଥିଲା । ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଯାହାପରେ ସେଠାରେ ସେପ୍ଟେମ୍ବର ୩୦,୨୦୨୪ ସୁଦ୍ଧା ନିର୍ବାଚନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଉ ନିର୍ଦ୍ଦେଶ ମୁତାବକ ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁକାଶ୍ମୀରରେ ନିର୍ବାଚନ ହେବାକୁ ଯାଉଛି ।