କନକ ବ୍ୟୁରୋ : ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ପରେ ଏବେ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ପ୍ରସ୍ତୁତି ସମାପ୍ତ କରିଛି । ଏନେଇ ଆଜି ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର କହିଛନ୍ତି କି, ହରିଆଣା ଓ ଜାମ୍ମୁ-କାଶ୍ମୀରର ସ୍ଥିତି ଦେଖିବାକୁ ଏକ ଟିମ୍ ଯାଇଥିଲା । ଏଥର ଜମ୍ମୁ-କାଶ୍ମୀରରେ ୯୦ ବିଧାନସଭା ଆସନରେ ଭୋଟିଂ ହେବ । ମୋଟ ୮୭ ଲକ୍ଷ ୯ ହଜାର ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେହିଭଳି ହରିଆଣାରେ ମଧ୍ୟ ୯୦ ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଏଠାରେ ୨ କୋଟି ୧ ଲକ୍ଷ ମତଦାତା ମତଦାନ କରିବେ । ଏଥିପାଇଁ ୨୦ ହଜାର ୨୬୯ ପୁଲିଂ ଷ୍ଟେସନର ବ୍ୟବସ୍ଥା କରାଯିବ । ୧୫୦ ରୁ ଅଧିକ ମେଡାଲ ପୁଲିଂ ବୁଥ୍ ରହିବ ।
ହରିଆଣାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ଅକ୍ଟୋବର ପହିଲାରେ ହରିଆଣାର ୯୦ ଆସନ ପାଇଁ ମତଦାନ ହେବ । ସେହିଭଳି ଜମ୍ମୁ-କାଶ୍ମୀରର ୯୦ ଆସନ ପାଇଁ ୩ଟି ପର୍ଯ୍ୟାୟରେ ମତଦାନ ହେବ । ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ ରେ ତୃତୀୟ ପର୍ଯ୍ୟାୟ ଭୋଟିଂ ହେବ । ଅକ୍ଟୋବର ୪ ତାରିଖରେ ଫଳାଫଳ ଘୋଷଣା ହେବ ।