କନ୍ଧମାଳ ଲୋକସଭା ଆସନ ପାଇଁ ଜୋରଦାର ପ୍ରଚାର । ବୌଦ୍ଧ ଓ କଂଟାମାଳରେ ଦୋକାନ ବଜାର ବୁଲି ଭୋଟ ମାଗୁଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଖାରବେଳ ସ୍ୱାଇଁ

ସେପଟେ ବିଜେଡି ବିକାଶ ଧାରକୁ ଆଧାର କରି ବାଜିମାତ୍ ଲକ୍ଷ୍ୟରେ ଅଚ୍ୟୁତ ସାମନ୍ତ

220

କନକ ବ୍ୟୁରୋ: କନ୍ଧମାଳ ଲୋକସଭା ଆସନ ପାଇଁ ଜୋରଦାର ପ୍ରଚାର । ଏଠାରେ ବିଜେଡିର ଅଚ୍ୟୁତ ସାମନ୍ତ, ବିଜେପିର ଖାରବେଳ ସ୍ୱାଇଁ ଓ କଂଗ୍ରେସର ମନୋଜ ଆଚାର୍ଯ୍ୟଙ୍କ ମଧ୍ୟରେ ତ୍ରିମୁଖି ଲଢେଇ ହେବ । ନିର୍ବାଚନ ବୈତରଣୀ ପାର ହୋଇ ଗାଦି ହାତେଇବା ପାଇଁ ଜୋରସୋରରେ ଲାଗିଛନ୍ତି ସମସ୍ତ ପ୍ରାର୍ଥୀ । ଦଳୀୟ କର୍ମୀଙ୍କ ସହ ରାଲି କରି ଶକ୍ତି ପ୍ରଦର୍ଶନ କରିବା ସହ ଘର ଘର ବୁଲି ଲୋକଙ୍କୁ ଭେଟୁଛନ୍ତି । 

ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଂଟାମାଳ ନିର୍ବାଚନ ମଣ୍ଡଳି କନ୍ଧମାଳ ଲୋକସଭା ଅଧିନରେ ଥିବାରୁ ଏଠାରେ ଜୋରଦାର ପ୍ରଚାର କରିଛନ୍ତି ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଖାରବେଳ ସ୍ୱାଇଁ ବୌଦ୍ଧ ଓ କଂଟାମାଳରେ ଦୋକାନ ବଜାର ବୁଲି ଭୋଟ ମାଗିଛନ୍ତି । ସେହିପରି ବିଜେଡି ବିକାଶ ଧାରକୁ ଆଧାର କରି ବାଜିମାତ୍ ଲକ୍ଷ୍ୟରେ ଅଛନ୍ତି ଅଚ୍ୟୁତ ସାମନ୍ତ । କଂଗ୍ରେସର ମନୋଜ ଆଚାର୍ଯ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଓ ଦୁର୍ନୀତିକୁ ଆୟୁଧ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅଂଟା ଭିଡିଛନ୍ତି ।

ସାଧାରଣ ନିର୍ବାଚନକୁ ଆଉ ମାତ୍ର ମାତ୍ର ଦିନ କେଇଟା ବାକି । ବୌଦ୍ଧ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୮ ତାରିଖରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ଯେତିକି ପାଖେଇ ଆସୁଛି ଜିଲ୍ଲାର ବୌଦ୍ଧ ଏବଂ କଂଟାମାଳ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉସ୍ମତା ସେତିକି ବଢିବାରେ ଲାଗିଛି । ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ ହୋଇଥିବା ବେଳେ ନେତାମାନେ ଏବେ ଗାଁ ମୁହାଁ ହୋଇଛନ୍ତି । ଗାଁ ଗାଁରେ ଦଳୀୟ ପ୍ରାର୍ଥୀମାନେ ସାଧାରଣ ସଭା କରି ଭୋଟରଙ୍କୁ ଆକୃଷ୍ଟ କରିବାର ପ୍ରୟାସରେ ଲାଗିପଡିଛନ୍ତି ।

 

ବୌଦ୍ଧ ଜିଲ୍ଲା କଂଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳରୁ ପୂନର୍ବାର ଟିକେଟ ପାଇଥିବା ବିଧାୟକ ମହିଧର ରଣା ବାଜିମାତ କରିବା ପାଇଁ ପୁରା ଦମ୍ ଲଗାଇ ଦେଇଛନ୍ତି । ସମର୍ଥକଙ୍କ ସହ ଗାଁ ଗାଁ ବୁଲି ଚାଷୀର ଜମିକୁ ଜଳସେଚନ ଓ ଦୂର୍ଗମ ଅଂଚଳକୁ ଗମନାଗମନର ସୁବ୍ୟବସ୍ଥାର ପ୍ରତିଶୃତି ଦେଇ ଭୋଟ ଭିକ୍ଷା କରୁଛନ୍ତି ।

ସେପଟେ ବିରୋଧୀ କଂଗ୍ରେସର ଦଳୀୟ ପ୍ରାର୍ଥୀ ପ୍ରଶାନ୍ତ କୁମାର ପ୍ରଧାନ ମଧ୍ୟ ବିଜେଡି, ବିଜେପିକୁ ମାତ ଦେବା ପାଇଁ ରାହୁଲ ଗାନ୍ଧୀଙ୍କ ସ୍କିମର ପ୍ରଚାରରେ ମାତିଛନ୍ତି । ପ୍ରତ୍ୟେକ ଗରିବ ପରିବାରକୁ ବର୍ଷକୁ ୭୨ ହଜାର ଟଙ୍କା ସହାୟତା ରାଶି, କୃଷି ଋଣ ଛାଡ, ଧାନର ସହାୟକ ଟଙ୍କା ବୃଦ୍ଧି ତଥା ଭତା ଟଙ୍କା ବୃଦ୍ଧି ଆଦି ଯୋଜନା ନେଇ ଭୋଟ ଭିକ୍ଷା କରିଛନ୍ତି । ବିଶେଷ କରି କଂଟାମାଳ ଅଂଚଳବାସୀଙ୍କ ଦୀର୍ଘ ଦିନର ଦାବୀ କଂଟାମାଳ ସବଡିଭିଜନ ଗଠନ ଉପରେ ଗୁରୁତ୍ୱ ଦିଆଯିବା କଂଗ୍ରେସ ମୁଖ୍ୟ ମୁଦ୍ଦା ରଖିଛି ।