କୋକେଇରେ ଚାଲିଛି ନିର୍ବାଚନୀ ପ୍ରଚାର । ପ୍ରାର୍ଥୀକୁ କାନ୍ଧରେ ବୋହି ନେଉଛନ୍ତି ସମର୍ଥକ । ପଛରୁ ଶୁଭୁଛି ରାମନାମ ସତ୍ୟ ହେ

426

କନକ ବ୍ୟୁରୋ : କିଏ ଗାଡି, କିଏ ହେଲିକ୍ୟାପ୍ଟର ତ କିଏ ମୋଟରସାଇକେଲ ମାଧ୍ୟମରେ ନିର୍ବାଚନ ପ୍ରଚାର ଚଳାଇଛି । କିଏ ସାଇକେଲରେ ବି ଚଳାଇଛି ନିର୍ବାଚନ ପ୍ରଚାର । ହେଲେ ଆମେ ଆପଣଙ୍କୁ ଦେଖାଇବୁ ଏକ ନିଆରା ପ୍ରଚାର । ମାଇକ ନାହିଁ କି ଜିନ୍ଦା ବାଦ ମୁର୍ଦ୍ଦା ବାଦର ନାରା ନାହିଁ । କି ଖୋଲା ଜିପରେ ବସି ହାତ ହଲାଉ ନାହାନ୍ତି ପ୍ରାର୍ଥୀ । କୋକେଇରେ ବସିଛନ୍ତି ପ୍ରାର୍ଥୀ । ପାଖରେ ରହିଛି ମାଟି କଳଶ ଓ ପ୍ରାର୍ଥୀଙ୍କ ହାତରେ ରହିଛି ଘଂଟି । କୋକେଇକୁ ବୋହି ନେଉଛନ୍ତି ୪ ଜଣ କାନ୍ଧୁଆ । ପଛରୁ ଶୁଭୁଛି ରାମ ନାମ ସତ୍ୟ ହେ ର ନାରା ।

କୋକେଇରେ ବସି ପ୍ରାର୍ଥୀ ଯାଉଛନ୍ତି ନିର୍ବାଚନ ପ୍ରଚାର କରିବାକୁ । ଖାଲି ନିର୍ବାଚନ ପ୍ରଚାର ନୁହେଁ, ପ୍ରାର୍ଥୀ ଜଣଙ୍କ କୋକେଇରେ ବସି ବି ନାମାଙ୍କନ କରିବାକୁ ପହଂଚିଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ । କେବେ କୋକେଇରେ ତ କେବେ ଜୁଇ ଉପରେ ବସି କରୁଛନ୍ତି ନିର୍ବାଚନ ପ୍ରଚାର । ସେ ପ୍ରଚାର ପାଇଁ ଯେଉଁଠି ପହଂଚୁଥିଲେ ସେଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଥିଲା । ପ୍ରଚାର ବେଳେ ବି ସେ ଅଜବ କାରନାମା କରୁଥିବା ଦେଖିବାକୁ ମିଳିଛି । ଭୋଟର ମାନଙ୍କ ପାଦ ଧୋଇ ଦେଉଛନ୍ତି ପ୍ରାର୍ଥୀ ଜଣଙ୍କ । କେବେ ମହିଳା ମାନଙ୍କର ତ କେବେ ଦିବ୍ୟାଙ୍ଗ ମାନଙ୍କର ।

ଖାଲି ଏତିକି ନୁହେଁ ଦୈନିକ ପ୍ରଚାର ସରିବା ପରେ ତାଙ୍କୁ ଦେଖିବାକୁ ମିଳୁଛି ନଦୀ କୂଳରେ । ନଦୀ କୂଳରେ ଜୁଇ ଉପରେ ଶୋଇ ରହୁଛନ୍ତି ପ୍ରାର୍ଥୀ ଜଣଙ୍କ । ଏଭଳି ନତା ଜଣଙ୍କ ପ୍ରାର୍ଥୀ ହୋଇଛନ୍ତି ଉତ୍ତରପ୍ରଦେଶର ଉପ ନିର୍ବାଚନରେ । ରାଜ୍ୟର ଦେବରୀୟା ସଦର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ଏହି କୋକେଇ ବାବା । ସେ ନିର୍ଦ୍ଦଳୀୟ ଭାବେ ପ୍ରାର୍ଥୀ ହୋଇଥିଲେ ବି ତାଙ୍କ ପ୍ରତି ଜନସମର୍ଥନ ଦେଖିବାକୁ ମିଳୁଛି । କୋକେଇ ବାବାଙ୍କ ପ୍ରକୃତ ନାମ ହେଉଛି ରାଜେଶ ଯାଦବ । ସେ ଏହାକୁ ମିଶାଇ ୧୧ ଟି ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ହେଲେ ପ୍ରତ୍ୟେକ ଥର ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡୁଛି ।