ପଶ୍ଚିମବଙ୍ଗ, ଆସାମରେ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପୂର୍ବରୁ ଆଜି ସରୁଛି ପ୍ରଚାର । କେରଳ, ତାମିଲନାଡୁ ଓ ପୁଡୁଚେରୀରେ ବି ଏପ୍ରିଲ ୬ ରେ ମତଦାନ

112

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଓ ଆସାମର ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଆଜି ଶେଷ ହେଉଛି ନିର୍ବାଚନ ପ୍ରଚାର । ୬ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ମତଦାନରେ ପଶ୍ଚିମବଙ୍ଗର ୩ ଟି ଜିଲ୍ଲାରେ ୩୧ ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ସେହଭଳି ଆସାମର ତୃତୀୟ ବା ଶେଷ ପର୍ଯ୍ୟାୟରେ ୪୦ ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।
ଅନ୍ୟପଟେ କେରଳ, ପୁଡୁଚେରୀ ଓ ତାମିଲନାଡୁ ରେ ଏପ୍ରିଲ ୬ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ଶେଷ ହେବ । ଏହି ରାଜ୍ୟ ମାନଙ୍କରେ ବି ଆଜି ନିର୍ବାଚନ ପ୍ରଚାର ଶେଷ ହେଉଛି । କେରଳରେ ୧୪୦, ତାମିଲନାଡୁରେ ୨୩୪ ଓ ପୁଡୁଚେରୀରେ ୩୦ ଟି ଆସନରେ ଭୋଟ ଗ୍ରହଣ ହେବାକୁ ଯାଉଛି ।
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ସରକାର ଅଛି । ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏଠାରେ ମୁଖ୍ୟମନ୍ତ୍ରୀ ଅଛନ୍ତି । ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ୨୦୧୬ ରେ ଟିଏମସି ୨୧୧, କଂଗ୍ରେସ ୪୪, ବାମଦଳ ୨୬ ଓ ବିଜେପିକୁ ମାତ୍ର ୩ ଟି ଆସନ ମିଳିଥିଲା । ଏହାସହ ସ୍ୱାଧୀନ ଓ ଅନ୍ୟ ଛୋଟ ଛୋଟ ଦଳମାନେ ୧୦ ଟି ଆସନରେ ବିଜୟ ଲାଭ କରିଥିଲେ ।
ଆସାମ : ଆସାମ ବିଧାନସଭାରେ ମୋଟ ୧୨୬ ଟି ଆସନ । ବର୍ତ୍ତମାନ ଏଠାରେ ଏନଡିଏର ସରକାର ରହିଛି । ସର୍ବାନନ୍ଦ ସୋନେବାଲ ଏଠାରେ ମୁଖ୍ୟମନ୍ତ୍ରୀ ଅଛନ୍ତି । ୨୧୬ ନିର୍ବାଚନରେ ଏଠାରେ ବିଜେପି ୬୦, ଆସାମ ଗଣପରିଷଦ ୧୪, ଓ ବିପିଏଫ୍ ୧୨ ଟି ଓ କଂଗ୍ରେସ ୨୬ ଟି ଆସନରେ ବିଜୟଲାଭ କରିଥିଲେ ।
ତାମିଲନାଡୁ : ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଏବେ ଏଆଇଏଡିଏମକେର ସରକାର ରହିଛି । ପାଲାନୀସ୍ୱାମୀ ମୁଖ୍ୟମନ୍ତ୍ରୀ ଅଛନ୍ତି । ୨୦୧୬ ନିର୍ବାଚନରେ ଏଆଇଏଡିଏମକେ ୧୩୬ ଟି ଆସନରେ ବିଜୟଲାଭ କରିଥିଲା ଓ ମୁଖ୍ୟ ବିରୋଧୀଦଳ ଡିଏମକେ ୮୯ ଟି ଆସନରେ ବିଜୟଲାଭ କରିଥିଲା ।
ପୁଡୁଚେରୀ : ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ଅଟେ । ପୁଡୁଚେରୀ ବିଧାନସଭାରେ ମୋଟ ୩୦ ଟି ଆସନ । ଏଠାରେ କଂଗ୍ରେସ ଓ ଡିଏମକେର ସରକାର ଥିଲା । ପୂର୍ବ ନିର୍ବାଚନରେ ଏଠାରେ କଂଗ୍ରେସ ୧୫ ଅଲଇଣ୍ଡିଆ ଏନ୍ ଆର୍ କଂଗ୍ରେସ ୮ ଓ ଅନ୍ୟାନ୍ୟ ଦଳମାନେ ୭ ଟି ଆସନରେ ବିଜୟୀ ହୋଇଥିଲେ ।
କେରଳ : କେରଳ ବିଧାନସଭାରେ ମୋଟ ୧୪୦ ଟି ଆସନ । ବର୍ତ୍ତମାନ ସେଠାରେ ସିପିଆଇ (ଏମ୍) ନେତୃତ୍ୱରେ ଏଲଡିଏଫ୍ ସରକାର ରହିଛି । ଏଠାରେ ସିପିଆଇଏମର ପିନାରାଇ ବିଜୟନ ମୁଖ୍ୟମନ୍ତ୍ରୀ ଅଛନ୍ତି । ପୂର୍ବ ନିର୍ବାଚନରେ ବାମମେଣ୍ଟକୁ ୯୧ ଓ କଂଗ୍ରେସ ନେତୃତ୍ୱାଧିନ ୟୁଡିଏଫ୍ କୁ ୪୭ ଟି ଆସନ ମିଳିଥିଲା ।