ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଚାଲିଛି ଘମାଘୋଟ ପ୍ରଚାର ! ରାଲି ଓ ଶୋଭାଯାତ୍ରା କରି ଭୋଟ ଅପିଲ୍ କରୁଛନ୍ତି ନେତା, ଭୋଟରଙ୍କ ମନ ଜିଣିବାକୁ କରୁଛନ୍ତି ପ୍ରୟାସ ।

74

କନକ ବ୍ୟୁରୋ : ନିର୍ବାଚନ ତାରିଖ ପାଖଉଛି ଆଉ ନେତାଙ୍କ ଛାତିରେ ଛନକା ପଶୁଛି । କୌଣସି ବି ଭୋଟକୁ ହାତଛଡା କରିବାକୁ ଚାହୁଁନାହାନ୍ତି ନେତା । ଜନତାଙ୍କ ଘରେ ପହଂଚି ଭୋଟ ପାଇଁ କରୁଛନ୍ତି ନିବେଦନ । ର‌୍ୟାଲି ଆଉ ରୋଡ ସୋ ମାଧ୍ୟମରେ ଭୋଟରଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରୁଛନ୍ତି ନେତା । ଆସନ୍ତୁ ଜାଣିବା ଆଜି ଦିନ ତମାମ କେମିତି ଚାଲିଥିଲା ପ୍ରମୁଖ ଦଳ ମାନଙ୍କ ପ୍ରଚାର ।

ନିର୍ବାଚନ ଆସୁଛି, କ୍ୟାମ୍ପେନିଂ କମ୍ପୁଛି । ସରଗରମ ପାରାଦୀପ ରାଜନୀତି । ପାରାଦୀପ ବିଜେଡି ବିଧାୟକ ପ୍ରାର୍ଥୀ ସମ୍ବିତ ରାଉତ ମାତିଛନ୍ତି ପ୍ରଚାରରେ । ୨୦୧୯ରେ ପୁଣି ଥରେ ବିଜେଡି ଜିତିବା ନେଇ ରଣନୀତି ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ସମ୍ବିତ । ସେପଟେ କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲ ମଧ୍ୟ ଗଣିତ କଷୁଛନ୍ତି । ବିଜେପି ପ୍ରାର୍ଥୀ ସମ୍ପଦ ସ୍ୱାଇଁ ମଧ୍ୟ ଓହ୍ଲାଇଛନ୍ତି ନିର୍ବାଚନୀ ପ୍ରଚାର ମୈଦାନକୁ ।

ବଲାଙ୍ଗିରରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଟେଲିଷ୍ଟାର ବିଦୁସ୍ମିତା । ବିଜେପିର ବିଧାନସଭା ପ୍ରାର୍ଥୀ ଅନନ୍ତ ଦାସଙ୍କ ପାଇଁ ଜନତାଙ୍କୁ ଭୋଟ ମାଗୁଛନ୍ତି । ବିଦୁସ୍ମିତାଙ୍କ ସହିତ ଅଛନ୍ତି ଜିନ୍ନା, ଜୟା ଓ ରୁଦ୍ର । ଅନନ୍ତ ଦାସ ହେଉଛନ୍ତି ଅଭିନେତ୍ରୀ ବିଦୁସ୍ମିତାଙ୍କ ସ୍ୱାମୀ । ସେହିପରି କଟକ-ଚୌଦ୍ୱାର ଆସନରେ ବି ପ୍ରଚାରକୁ ଜୋରଦାର କରିଛି ବିଜେଡି । ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ୱାଳଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତି । କଂଗ୍ରେସରୁ ଲଢୁଛନ୍ତି ଜଗଦୀଶ ମହାନ୍ତି ।

ପୁରୀରେ ଚାଲିଛି ଜୋରଦାର ପ୍ରଚାର । ଆଜି ରୋଡ ସୋ କରିଛନ୍ତି ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ । ବାଟ ମଙ୍ଗଳା ମନ୍ଦିରରେ ପୂଜାର୍ଚ୍ଚନା ଓ ଜୟରାଜଗୁରୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ବାହାରିଥିଲେ ପ୍ରଚାରରେ । ମୋଦିଙ୍କ ବିକାଶକୁ ମୁଖ୍ୟ ପ୍ରସଙ୍ଗ କରିଛି ବିଜେପି । କଂଗ୍ରେସର ଲୋକସଭା ପ୍ରାର୍ଥୀ ସତ୍ୟପ୍ରକାଶ ନାୟକ ମଧ୍ୟ ଭୋଟ ଭିକ୍ଷା କରିଛନ୍ତି ।

ସେପଟେ ଯାଜପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ବିକାଶକୁ ପ୍ରସଙ୍ଗକରି ଦଳୟୀ କର୍ମୀ ଓ ସମର୍ଥକଙ୍କ ସହ ଭୋଟ ମାଗୁଛନ୍ତି । ଗଂଜାମ ଜିଲ୍ଲା ପୋଲସରା ଠାରେ କଂଗ୍ରେସ ଓ ସିପିଆଇ ମିଳିତ ଭାବେ ପ୍ରଚାର କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଆସିକା ସାଂସଦ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ବିରାଟ ରୋଡ ସୋ କରି ଭୋଟ ମାଗିଛନ୍ତି । ସାଧାରଣ ସଭାରେ ନିରଂଜନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।