ପାଖେଇ ଆସୁଛି ନିର୍ବାଚନ, କମ୍ପୁଛି ପ୍ରଚାର ମୈଦାନ । ରାଲି, ଶୋଭାଯାତ୍ରାରେ ବୁଲୁଛନ୍ତି ପ୍ରାର୍ଥୀ, ଭୋଟରଙ୍କୁ ମନାଇବା ପାଇଁ ଜୋରଦାର ପ୍ରୟାସ

71

କନକ ବ୍ୟୁରୋ : ଟିକେଟ ଘୋଷଣା ପରେ ଏବେ ଜନତାଙ୍କ ପାଖରେ ପହଂଚିବାକୁ ନେତାଙ୍କ ଉଦ୍ୟମ । ନିର୍ବାଚନ ପାଖେଇ ଆସୁଥିବା ବେଳେ କୌଣସି ମୌକାକୁ ହାତଛଡା କରିବାକୁ ଚାହୁଁନାହାନ୍ତି ନେତା । ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରଚାର । ଲୋକଙ୍କ ମନ ଜିଣିବା ପାଇଁ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ ।ଖାସକରି ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହେଲୋଗ୍ରାମ ଜରିଆରେ ପ୍ରଚାର କରିଛନ୍ତି । ତେବେ ପ୍ରଚାର ମାଧ୍ୟମରେ କିଏ ଲୋକଙ୍କ ଭରସା ଜିତିପାରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ମଇଦାନରେ ନେତା । ଗଳିକନ୍ଦି ବୁଲି ଭୋଟ ମାଗୁଛନ୍ତି ନେତା କନ୍ଧମାଳ ଲୋକସଭା ଆସନରେ ବିଜେପିର ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁ ଆଜି ଦୋକାନ ଦୋକାନ ବୁଲି କରିଛନ୍ତି ଭୋଟ ଭିକ୍ଷା । କନ୍ଧମାଳରୁ ବିଜେଡି ଲୋକସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ମଧ୍ୟ ପ୍ରଚାରର କୌଣସି ମୌକାକୁ ହାତ ଛଡା କରିନାହାନ୍ତି ।

ମା ଚର୍ଚ୍ଚିକାଙ୍କ ପୀଠରେ କଟକ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର । ଏହିଠାରୁ ପୂଜାର୍ଚ୍ଚନା କରି ବାହାରିଛନ୍ତି ପ୍ରଚାରରେ । ନିଜ ସମର୍ଥକଙ୍କ ଗହଳରେ ଜନତାଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରିଛନ୍ତି ପ୍ରକାଶ । ସେପଟେ କୋରାପୁଟର ଜୟପୁରରେ ଆଦିବାସୀମାନଙ୍କ ସହ ନାଚି ନାଚି ଅଭିନବ ଉପାୟରେ ପ୍ରଚାର କରିଛନ୍ତି ତାରା ପ୍ରସାଦ ବାହିନୀପତି । ପ୍ରତିପକ୍ଷଙ୍କୁ ଟକ୍କର ଦେବା ପାଇଁ ନିଆରା ଢଙ୍ଗରେ ପ୍ରଚାର କରିଛନ୍ତି ତାରା ପ୍ରସାଦ ବାହିନୀପତି । । ଆଦିବାସୀଙ୍କ ସହ ପାଦରେ ପାଦ ମିଶାଇଛନ୍ତି ତାରା ।

ସତ୍ୟବାଦୀ ପାଇଁ ବିଜେପିରୁ ଓମ୍ ପ୍ରକାଶ ମିଶ୍ର ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ସାକ୍ଷୀ ଗୋପୀନାଥ ମନ୍ଦରରେ ପୂଜାର୍ଚ୍ଚନା କରି ବାହାରିଥିଲେ ପ୍ରଚାରରେ । ପିପିଲିରୁ ଆଶ୍ରିତ ପଟ୍ଟନାୟକ ହଜାର ହଜାର ସମର୍ଥକଙ୍କ ସାଙ୍ଗରେ ରାଲିରେ ବାହାରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସୁନ୍ଦରଗଡ ଓ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେପି ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ । ଆଜି ଜୁଏଲ ତଳସରା ନିର୍ବଚାନ ମଣ୍ଡଳୀର ବାଲିଶଙ୍କରା, ବନ୍ଧବାହାଲ, ସବଡେଗା, ସହ କର୍ଲାଘାଟିରେ ପ୍ରଚାର କରିଥିଲେ । ଏଥିସହ କର୍ମୀ ସମ୍ମିଳନୀରେ ଯୋଗ ଦେଇଛନ୍ତି । ସେହିଭଳି କାଲିମେଳାରେ ପ୍ରଚାରରେ ସାମିଲ ହୋଇଛନ୍ତି ପ୍ରଦୀପ ମାଝୀ ।