କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ପୌର ନିର୍ବାଚନ ପାଇଁ ପଡିବ ଭୋଟ । ଏହାକୁ ଦୃଷ୍ଟିରେ ରଖି ଓଡିଶାର ପୌରାଞ୍ଚଳରେ ଜୋର ଧରିଛି ନେତାଙ୍କ ପ୍ରଚାର । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଏନଏସିରୁ ପୌରପରିଷଦର ମାନ୍ୟତା ପାଇଥିବା ପଟ୍ଟାମୁଣ୍ଡାଇ ପୌରାଞ୍ଚଳବାସୀ ପ୍ରଥମଥର ପାଇଁ ପ୍ରତ୍ୟକ୍ଷ ଭାବେ ପୌରାଧ୍ୟକ୍ଷ ବାଛିବେ । ସେନେଇ ଭୋଟରଙ୍କ ମଧ୍ୟରେ ଯେତିକି ଉତ୍ସାହ ପୌରାଧ୍ୟକ୍ଷ ପଦ ହାତେଇବା ପାଇଁ ନେତାଙ୍କ ମଧ୍ୟରେ ସେତିକି ପ୍ରତିଯୋଗିତା ରହିଛି ।

Advertisment

ପୌର ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର । ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିରେ ବିଭିନ୍ନ ପ୍ରାର୍ଥୀମାନେ ଗାଁକୁ ଗାଁ, ୱାର୍ଡରୁ ୱାର୍ଡ ବୁଲି ଭୋଟ ଭିକ୍ଷା କରୁଛନ୍ତି । ବିଜେପି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶକୁ ଆଧାର କରି ନିର୍ବାଚନୀ ପ୍ରଚାର କରୁଥିବା ବେଳେ ବିଜେଡି ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନର ନାରା ଦେଇ ନିର୍ବାଚନ ପ୍ରଚାର କରୁଛନ୍ତି । କଂଗ୍ରେସର ପ୍ରାର୍ଥୀମାନେ ମଧ୍ୟ ପ୍ରଚାରରେ ପଛରେ ପଡ଼ିନାହାନ୍ତି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏନଏସି ଗତ ୨୦୧୪ରେ ପୌରପାଳିକାର ମାନ୍ୟତା ପାଇଥିବା ବେଳେ ପ୍ରଥମଥର ପାଇଁ ପୌରାଧ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ସ୍ଥାନୀୟ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି ।

୨୦ଟି ୱାର୍ଡ ବିଶିଷ୍ଟ ଏହି ମ୍ୟୁନିସିପାଲିଟିରେ ଅନେକ ସମସ୍ୟା ରହିଛି । ଡ୍ରେନେଜ ଠାରୁ ଆରମ୍ଭ କରି ବିଜୁଳି, ପାଣି ସମସ୍ୟାରେ ଯୁଝି ହେଉଛନ୍ତି ଏହି ଅଞ୍ଚଳବାସୀ । ତେବେ ପ୍ରାର୍ଥୀମାନେ ଏହି ସବୁ ସମସ୍ୟାର ସମାଧାନର ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି । ପଟ୍ଟାମୁଣ୍ଡାଇ ପୌର ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳୁଛି । ତେବେ କେଉଁ ଦଳ କେତେ କାଉଁସିଲର ହାତେଇବ, ସେ ନେଇ ଚାଲିଛି କଳ୍ପନା ଜଳ୍ପନା । କାହା ପଲା ଭାରି ରହିଛି ଓ ଆଉ କିଏ ହାତଉଛି ପୌରପାଳିକା ଅଧ୍ୟକ୍ଷ ପଦ ତାହା ଦେଖିବାକୁ ବାକି ରହିଛି ।

ପଞ୍ଚାୟତ ନିର୍ବାଚନରେ ବିଜେଡି ଅପୂର୍ବ ସଫଳତା ପାଇଥିଲେ ମଧ୍ୟ ପୌରାଞ୍ଚଳକୁ ନିଜ ଅକ୍ତିଆରକୁ ନେବା ପାଇଁ ନିଜର ରଣକୌଶଳକୁ ପ୍ରସ୍ତୁତ କରୁଛି । ଅପରପକ୍ଷେ ବିରୋଧି କଂଗ୍ରେସ ଓ ବିଜେପି ବିଜେଡିକୁ ମାତ୍ ଦେବା ପାଇଁ ପ୍ରଚାର ଜୋରଦାର କରୁଛନ୍ତି । କାହା ହାତକୁ ଯିବ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ପଦ ତା’ ଉପରେ ରହିଛି ସମସ୍ତଙ୍କ ନଜର ।