ଜମୁଛି ପ୍ରଚାର, ତେଜୁଛି ରାଜନୀତି ! ଭୋଟ୍ ପାଇଁ ଚାଲିଛି କସରତ, ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ପୁରା ଦମ୍ ଲଗାଇ ଦେଇଛନ୍ତି ନେତା । 

89

କନକ ବ୍ୟୁରୋ : ନିର୍ବାଚନ ତାରିଖ ଯେତେ ପାଖଉଛି ପ୍ରଚାର ମଇଦାନ ସେତିକି ଜୋରରେ କମ୍ପିବାରେ ଲାଗିଛି । ଜନତାଙ୍କୁ  ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପୁରା ଦମ୍ ଲଗାଇ ଦେଇଛନ୍ତି ନେତା । ଆସନ୍ତା ୧୮ ତାରିଖରେ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରଚାରରେ ଲାଗିଛନ୍ତି ନେତା । ବାଇକ ର‌୍ୟାଲି, ରୋଡ ସୋ  ଓ ଶୋଭାଯାତ୍ରା ମାଧ୍ୟମରେ ଭୋଟ ଗୋଟାଇବାକୁ ପ୍ରୟାସ କରୁଛନ୍ତି । ଗୋଟିଏ ଗୋଟିଏ ଭୋଟ ପାଇଁ ପୁରା କସରତ କରୁଛନ୍ତି ବିଧାୟକ ଓ ସାଂସଦ ପ୍ରାର୍ଥୀ । ଆସନ୍ତୁ ଜାଣିବା ଆଜି କେମିତି ଥିଲା ପ୍ରଚାର ମଇଦାନ ।

ଭୋଟ ପାଇଁ ନେତାଙ୍କ କସରତ । ଗାଡିରେ ବୁଲିଲେ, ପ୍ରଚାର କଲେ । ରାଉରକେଲାରେ ବିଜେପିର ଷ୍ଟାର କ୍ୟାମ୍ପେନର ଯୋଗୀ ଆଦିତ୍ୟନାଥ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଯୋଗୀ ଆଦିତ୍ୟନାଥ । ବିକାଶମୂଳକ ଯୋଜନାର ଉଦାହରଣ ଦେଇ ଦେଶର ସମୃଦ୍ଧି ପାଇଁ ଆଉ ଥରେ ମୋଦି ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ ବୋଲି କହିଛନ୍ତି ଯୋଗୀ ।

ସେପଟେ ଖଣ୍ଡପଡାରେ ଜମୁଛି ପ୍ରଚାର । ଆଜି ବିଜେଡି ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଏକ ବିଶାଳ ବାଇକ ରାଲିରେ ଗାଁ ରୁ ଗାଁ ବୁଲିଛନ୍ତି । କଟକ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ଭାପୁର ବ୍ଲକର ଭାଇସ ଚେୟାରମାନ ଗୟାଧର ପରିଡା ମଧ୍ୟ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ ।

ସେହିପରି ଗଞ୍ଜାମ ଜିଲ୍ଲାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିବା ବେଳେ ବ୍ୟକ୍ତିବିଶେଷଙ୍କ ମତକୁ ଗୁରୁତ୍ୱ ଦେବା ଉଚିତ ନୁହେଁ ବୋଲି କହିଛନ୍ତି । ଭୋଗରାଇରେ ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି କଂଗ୍ରେସର ବାଲେଶ୍ୱର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ । ସେପଟେ ପାଟଣାଗଡରୁ ବିଜେପି ପ୍ରାର୍ଥ କନକ ବର୍ଦ୍ଧନ ସିଂଦେଓ କରିଛନ୍ତି ଡୋର ଟୁ ଡୋର କ୍ୟାମ୍ପେନିଂ । ନିଜ ସମର୍ଥକଙ୍କ ସହ ଘରକୁ ଘର ଯାଇ ଭୋଟ୍ ଭିକ୍ଷା କରୁଛନ୍ତି ।

ବାଲିଗୁଡା ବିଧାନସଭା ଆସନରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି । ବିଜେପି ବିଧାୟକ ପ୍ରାର୍ଥୀ କରେନ୍ଦ୍ର ମାଝି ଦଳ ବଳ ସହ ପ୍ରଚାରକୁ ଜୋରଦାର କରୁଛନ୍ତି । ବାଲିଗୁଡାରେ ବିଜେଡିର ପ୍ରାର୍ଥୀ ଚକ୍ରଧର କହଁର ଓ କଂଗ୍ରେସ ଟିକେଟରେ ସିମନ ମଲ୍ଲିକ ଲଢୁଛନ୍ତି । ସେହିପରି ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୋରାଡାରେ ବିଜେଡିରୁ ଲଢୁଛନ୍ତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ବିଜେପିରୁ ନିଳମଣି ବିଶୋୟୀ ମୈଦାନରେ ଥିବାବେଳେ ବିଜେଡି ଓ ବିଜେପିକୁ ଟକ୍କର ଦେଉଛନ୍ତି କଂଗ୍ରେସର ସଂଗ୍ରାମ ମହାନ୍ତି । ତିନିଦଳର ପ୍ରାର୍ଥୀ ଲୋକଙ୍କ ପାଖରେ ପହଂଚିବାକୁ ପ୍ରୟାସ କରିଛନ୍ତି ।

ସେହିପରି ଚାନ୍ଦବାଲିରେ ଘର ଘର ବୁଲି ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ । ସତ୍ୟବାଦୀର ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ଜନତାଙ୍କ ପାଖରେ ପହଂଚିବାକୁ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି । ସେପଟେ ପାଟକୁରାରେ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଏବଂ ମହାକାଳପଡା ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚ୍ଚୀ ନାୟକ ମାତିଛନ୍ତି ପ୍ରଚାରରେ ।