ଆସୁଛି ଭୋଟ୍ ଜମୁଛି ପ୍ରଚାର ! ଘରଘର ବୁଲି କ୍ୟାମ୍ପେନ୍ କରୁଛନ୍ତି ନେତା, ଜନମତ ହାସଲ ପାଇଁ ଚାଲିଛି ଜୋରଦାର ପ୍ରୟାସ । 

79

କନକ ବ୍ୟୁରୋ : ନିର୍ବାଚନ ଆସୁଛି ପ୍ରଚାର ଜମୁଛି । ରାଜ୍ୟର କୋଣ ଅନୁକୋଣରେ ଚାଲିଛି ନେତାଙ୍କ ପ୍ରଚାର । ଜନତାଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛନ୍ତି ନେତାଏ । କେହି କେହି ସିନେ ତାରକାଙ୍କ ସାହାରା ନେଉଥିବା ବେଳେ ଆଉ କେହି ନିଜ ପକେଟ୍ ଭୋଟକୁ ହାତେଇବା ପାଇଁ ଚାଲି ଚାଲି କରୁଛନ୍ତି କ୍ୟାମ୍ପେନିଂ । ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ଉପାନ୍ତ ଚିତ୍ରକୋଣ୍ଡା ପର୍ଯ୍ୟନ୍ତ ପ୍ରଚାର ମୈଦାନରେ କୌଣସି ମୌକାକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି ନେତାଏ ।

ଭୁବନେଶ୍ୱରରେ ନେତାଙ୍କ ହାଇଭୋଲଟେଜ ପ୍ରଚାର । ପୂର୍ବରୁ ଭୁବନେଶ୍ୱରର ମେୟର ରହି ସାରିଥିବା ଅନନ୍ତ ନାରାୟଣ ଜେନା ଆଜି ମଧ୍ୟ ନିର୍ବାଚନ ମଣ୍ଡଳୀରେ ଓହ୍ଲାଇଥିଲେ ପ୍ରଚାର ମଇଦାନକୁ । ସମର୍ଥକଙ୍କ ଗହଳରେ ଘରକୁ ଘର ବୁଲି ଲୋକଙ୍କ କଥା ପଚାରି ବୁଝୁଥିଲେ । ୨୦୧୯ରେ ବଡ ବ୍ୟବଧାନରେ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ବସ୍ତିବାସିନ୍ଦାଙ୍କ ସମର୍ଥନ ତାଙ୍କ ପ୍ରତି ରହିବ ବୋଲି କହିଛନ୍ତି ଅନନ୍ତ ।

ସେହିପରି ଜଗତସିଂହପୁରରେ ମଧ୍ୟ ସମର୍ଥକଙ୍କ ଗହଳିରେ ପ୍ରଚାରରେ ମାତିଛନ୍ତି ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ । ମଝିରେ ମଝିରେ ଗାଡି ଅଟକୁୁଥିଲା ଆଉ ଭାଷଣ ଦେଉଥିଲେ ରାଜଶ୍ରୀ । ପରେ ଏକ ବିଶାଳ ର‌୍ୟାଲିରେ ଆସି ଦାଖଲ କରିଥିଲେ ନାମାଙ୍କନ ପତ୍ର । କଟକ-ବାରବାଟୀରେ ଚାଲି ଚାଲି ଜନତାଙ୍କ ପାଖରେ ପହଂଚିଥିଲେ ବିଜେପି ପ୍ରାର୍ଥୀ ସମୀର ଦେ ଏବଂ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଲୋକଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି ଏହି ନେତାମାନେ ।

ସେପଟେ କେନ୍ଦ୍ରାପଡା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ପାଟକୁରା ବିଧାନସଭା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏବଂ ଅଭିନେତା ବାବୁ ସାନଙ୍କୁ ଦେଖିବାକୁ ମିଳିଥିଲା ଗୋଟିଏ ମଂଚରେ । ବୈଜୟନ୍ତଙ୍କ ପାଇଁ ବାବୁସାନ ପ୍ରଚାର କରୁଥିବାର ଦୃଶ୍ୟ ଦେଖିବାକୁ  ମିଳିଥିଲା । ଖାଲି ଉପକୂଳ କାହିଁକି ଉପାନ୍ତ ଅଂଚଳରେ ବି ପୁରା ଦମରେ ଲାଗିଛନ୍ତି ନେତା । ଚିତ୍ରକୋଣ୍ଡା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପଦୁ ମାଝୀ ରୋଡ ଶୋ ମାଧ୍ୟମରେ ଜନତାଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ । ନିର୍ବାଚନ ଦିନ ଯେତିକି ପାଖଉଛି ପ୍ରଚାର ସେତିକି ଜମି ଜମି ଆସୁଛି ।