କନକ ବ୍ୟୁରୋ : ବାଲେଶ୍ୱରରେ ବେଶ ସରଗରମ ରାଜନୈତିକ ମାହୋଲ । ୧୬ ତାରିଖରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ଭୋଗରାଇ ଓ ଜଳେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ । ସେପଟେ ଅନ୍ୟ ଜିଲ୍ଲାରେ ଭୋଟ ପାଇଁ ନେତାଙ୍କ ପ୍ରଚାର ଚାଲିଛି । ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଲାଗିପଡିଛନ୍ତି ନେତା ।

Advertisment

ବାଲେଶ୍ୱରରେ ନେତାଙ୍କ ମଧ୍ୟରେ ଛକାପଂଝା । ପ୍ରଚାର ମୈଦାନରେ ଶକ୍ତି ପ୍ରଦର୍ଶନ । ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ଅନ୍ୟ ସବୁ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇ ସମ୍ମାନ ବଞ୍ଚାଇବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ପ୍ରଚାର ମଙ୍ଗ ଧରିଥିବା ନେତା । ବିଜେଡିର ରବୀନ୍ଦ୍ର ଜେନା, ବିଜେପିର ସାଂସଦ ପ୍ରତାପ ଷଡଙ୍ଗୀ ଓ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । ସବୁଠୁ ଅଧିକ ଚ୍ୟାଲେଞ୍ଜ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପାଇଁ । କାରଣ ଗତଥର ୪୫ଟି ଜିଲ୍ଲା ପରିଷଦ ଆସନରୁ ୧୩ଟିରେ ସୀମିତ ରହିଥିଲା ଦଳ । ଏଥର ଅଧିକ ଆସନରେ ବିଜୟୀ ହୋଇ ବିଜେପି ଅଧ୍ୟକ୍ଷ ପଦ ଦଖଲ କରିବେ ବୋଲି ଦାବି କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ ।

ଅନ୍ୟପଟେ ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନା ସାଙ୍ଗକୁ କେନ୍ଦ୍ର ସରକାରଙ୍କ ବିଫଳତା କହି ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି ବିଜେଡି ପ୍ରାର୍ଥୀ ଓ ନେତା । ଅନ୍ୟ ନିର୍ବାଚନ ଭଳି ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରତି ଲୋକଙ୍କ ବିପୁଳ ସମର୍ଥନ ରହିବ, ଏଥର ଆହୁରି ଅଧିକ ସିଟ୍ ହାତେଇ ବାଲେଶ୍ୱରରେ ଦଳ ରେକର୍ଡ କରିବ ବୋଲି ଦୃଢୋକ୍ତି କରିଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ।

ଦିନେ କଂଗ୍ରେସ ଗଡ ଭାବେ ପରିଚିତ ଥିବା ବାଲେଶ୍ୱରରେ ତାର ସମସ୍ତ ବଳ ଲଗାଇଛି ଦଳ । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସାଂସଦ ପ୍ରାର୍ଥୀ ରହିଥିବା ନବଜ୍ୟୋତି ପଟ୍ଟନାୟକ ଦଳର ମଙ୍ଗ ଧରିଛନ୍ତି । ଆସନ୍ତା ୧୬ ତାରିଖରେ ଜଳେଶ୍ୱର ଓ ଭୋଗରାଇରେ ମତଦାନ ହେବ । ବିଜେଡି ପକ୍ଷରୁ ସବୁ ବିଧାୟକ ନିଜ ନିଜ ଅଞ୍ଚଳ ଉପରେ କଡା ନଜର ରଖିଥିବା ବେଳେ ବିଜେଡି-ବିଜେପି ଭିତରେ କଡା ଟକ୍କର ହେବା ନେଇ ଚର୍ଚ୍ଚା ହେଉଛି ।