କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପରେ ବଢ଼ୁଛି ନୂଆପଡ଼ା ରାଜନୀତି ପାରଦ । ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ଆଦିବାସୀ ନେତା ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବା ପରେ କଂଗ୍ରେସ ଦଳର କର୍ମୀମାନେ ବୁଥ୍ ସ୍ତରକୁ ଯାଇ ସଂଗଠନକୁ ସଦୃଢ଼ କରିବା ପାଇଁ ବଳ କଷିବାରେ ଲାଗିଛନ୍ତି । ହେଲେ ନୂଆପଡ଼ା କଂଗ୍ରେସ ତଣ୍ଟିରେ ଏବେ କଣ୍ଟା ହୋଇଛି ଜନଜାତି ଭୋଟ୍, ଯାହାକୁ ନେଇ ଦଳ ଚିନ୍ତାରେ ପଡ଼ିଥିବା ଚର୍ଚ୍ଚା ହେଉଛି ।

Advertisment

୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ଛାଡ଼ି ଆଦିବାସୀମାନଙ୍କ ସମର୍ଥନରେ ସ୍ଵାଧୀନ ପ୍ରାର୍ଥୀ ହୋଇ ଘାସିରାମ ୫୦ ହଜାର ୯୪୧ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ । କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ୧୫ ହଜାର ୫୦୧ ଭୋଟ୍ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ। ଏହି ୨ ଜଣ ପ୍ରାର୍ଥୀଙ୍କ ମୋଟ୍ ଭୋଟ୍ ଦେଖି ବର୍ତ୍ତମାନ ପିସିସି ସଭାପତି ଭକ୍ତଚରଣ ଦାସ ଘାସିରାମ ମାଝୀଙ୍କୁ ପୁଣି ଦଳରେ ସାମିଲ କରି ଉପନିର୍ବାଚନରେ ପ୍ରାର୍ଥୀ କରିଛନ୍ତି । ନୂଆପଡ଼ା ବିଧାନସଭା ଆସନରେ କଂଗ୍ରେସ ଜିତିବ ବୋଲି ସେ ଦମ୍ଭୋକ୍ତି ବାଢ଼ିଛନ୍ତି ।  

ନୂଆପଡ଼ା ଜିଲ୍ଲାରେ ଆଦିବାସୀ ଭୋଟର୍ ସଂଖ୍ୟା ଅଧିକ ରହିଥିବା ସତ୍ତ୍ବେ ଗତ ନିର୍ବାଚନରେ ଆଦିବାସୀ ନେତାଙ୍କୁ କୌଣସି ଦଳ ପ୍ରାର୍ଥୀ କରି ନଥିଲେ । ଫଳରେ ଆଦିବାସୀ କଲ୍ୟାଣ ସଂଘ ଏକତ୍ର ହୋଇ ଘାସିରାମ ମାଝୀଙ୍କୁ ସ୍ବାଧୀନ ପ୍ରାର୍ଥୀ କରିଥିଲା । ଆଦିବାସୀ କଲ୍ୟାଣ ସଂଘ ସମସ୍ତ କର୍ମକର୍ତ୍ତା ନିଜ ନିଜ ଦଳ ଛାଡ଼ି ତାଙ୍କୁ ସହଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଘାସିରାମ ମାଝୀ ଆଦିବାସୀ ସଂଘକୁ କୌଣସି ଖବର ନ ଦେଇ କିମ୍ବା ବୈଠକ ନ କରି ହଠାତ୍ କଂଗ୍ରେସରେ ଯୋଗ ଦେଇଥିବାରୁ ଆଦିବାସୀ ସଂଘ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।

ଗତ ସେପ୍ଟେମ୍ବର ୧୨ ତାରିଖରେ ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପ ସିଂ ମାଝୀ ଏକ ପ୍ରେସ୍ ବିବୃତିରେ ସଂଘ ବିରୋଧୀ କାମ କରିଥିବାରୁ ଘାସିରାମଙ୍କୁ ସଂଘରୁ ବହିଷ୍କାର କରାଯାଇଥିବା କହିଥିଲେ । ନୂଆପଡ଼ା ଉପନିର୍ବାଚନରେ ଘାସିରାମଙ୍କୁ ଯଦି କୌଣସି ଦଳ ଟିକଟ ଦିଏ ତା’ ହେଲେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦୃଢ଼ ବିରୋଧ କରିବ ବୋଲି ଘୋଷଣା କରିଥିଲେ । ଆଉ ଏବେ ଆଦିବାସୀମାନେ ଏକଜୁଟ୍ ହୋଇ ଘାସିରାମଙ୍କୁ ସମର୍ଥନ ନକଲେ କଂଗ୍ରେସ ଅଡ଼ୁଆରେ ପଡ଼ିବା ଆଶଙ୍କା ରହିଛି । ତେବେ ଭାଗ ଭାଗ ହୋଇ ରହିଥିବା ଆଦିବାସୀଙ୍କୁ ନିଜ ଆଡ଼କୁ ଆଣିପାରିବ ତ କଂଗ୍ରେସ? ଆଦିବାସୀ ଭୋଟ୍ ବ୍ୟାଙ୍କକୁ ଏକଜୁଟ୍ କରିବାରେ କେତେ ସଫଳ ହେଉଛି କଂଗ୍ରେସ, ତାହା ରେଜଲ୍ଟ ପରେ ହିଁ ଜଣାପଡ଼ିବ ।