କନକ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିରୋଧୀ ଇଣ୍ଡି ମେଣ୍ଟ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି ବିରୋଧୀ ମେଣ୍ଟ । ପୂର୍ବରୁ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଏନଡିଏ । ଅର୍ଥାତ ଏବେ ଉପ-ରାଷ୍ଟ୍ରପତି ନିର୍ବାଚନରେ ମୁହାଁମୁହିଁ ହେବେ ୨ ଦକ୍ଷିଣ ଭାରତୀୟ ଚେହେରା । ସି.ପି ରାଧାକ୍ରିଷ୍ଣନ ତାମିଲନାଡୁର ବାସିନ୍ଦା ହୋଇଥିବା ବେଳେ ସୁଦର୍ଶନ ରେଡ୍ଡୀ ତେଲେଙ୍ଗାନାର ବାସିନ୍ଦା । ଉପ-ରାଷ୍ଟ୍ରପତି ନିର୍ବାଚନ ଆଳରେ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ ଖେଳିଛନ୍ତି ଦକ୍ଷିଣ ଭାରତୀୟ କାର୍ଡ । ଯାହା ଉପ-ରାଷ୍ଟ୍ରପତି ନିର୍ବାଚନକୁ ଆହୁରି ରୋଚକ କରିବ । ପୂର୍ବରୁ ଡିଏମକେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ସ୍ପଷ୍ଟ କରିଥିବା ବେଳେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ଘୋଷଣା ପରେ ବିଆରଏସ ଓ ୱାଇଆରସିପି ଭଳି ଦଳକୁ ଅକଳରେ ପକାଇଛି । 

Advertisment

ସଂଖ୍ୟା ଦୃଷ୍ଟିରୁ ଉପ-ରାଷ୍ଟ୍ରପତି ନିର୍ବାଚନ ରେସରେ ଆଗରେ ରହିବେ ଏନଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ । ହେଲେ ଏହି ନିର୍ବାଚନ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ ଠାରୁ ନିଜକୁ ଦୂରେଇ ରଖିଥିବା ବିଜେଡି ପାଇଁ ଅଗ୍ନିପରୀକ୍ଷା ପାଲଟିବାକୁ ଯାଉଛି । ଦଳ ମୁଖିଆ ନବୀନଙ୍କୁ କେନ୍ଦ୍ରମନ୍ତ୍ରୀ ରାଜନାଥଙ୍କ ଫୋନ୍ କଲ ଚର୍ଚ୍ଚା ଭିତରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନି ବିଜେଡି । ଏସବୁ ଭିତରେ ବିଜେଡି ସାଂସଦ ଚିରାଚରିତ ଭାବେ ଓଡ଼ିଶା ସ୍ବାର୍ଥର ଆଳ ଦେଖାଇ ନବୀନଙ୍କ ଉପରେ ସବୁ ନିଷ୍ପତ୍ତି ଛାଡି ଦେଇଛନ୍ତି । 
ଆସନ୍ତା ୯ ସେପ୍ଟେମ୍ବରରେ ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ପଡିବ ଭୋଟ । ଏନଡିଏ ପ୍ରାର୍ଥୀ ଆସନ୍ତାକାଲି ଓ ଇଣ୍ଡି ମେଣ୍ଟ ପ୍ରାର୍ଥୀ ୨୧ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ।