କନକ ବ୍ୟୁରୋ : ହୋହଲ୍ଲା, ହଟ୍ଟଗୋଳ, ନାରାବାଜି, ପ୍ଲାକାର୍ଡ ପ୍ରଦର୍ଶନ । ଯାହାକୁ ନେଇ ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ସ୍ବାଭାବିକ ହୋଇପାରିନି ଗୃହ । ବିରୋଧୀ ବିଜେଡିର ହୋ ହଲ୍ଲା ଓ ହଟ୍ଟଗୋଳ ପାଇଁ ବାରମ୍ବାର ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।  ଧୋଇଯାଇଛି ପ୍ରଶ୍ନକାଳ, ଶୂନ୍ୟକାଳ । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରସଙ୍ଗରେ ଆଲୋଚନା ନହେବାରୁ ସକାଳ ଭଳି ଅପରାହ୍ନରେ ମଧ୍ୟ ହୋହଲ୍ଲା କରି କକ୍ଷତ୍ୟାଗ କରିଛନ୍ତି ବିଜେଡି ସଦସ୍ୟ । ଗାନ୍ଧୀମୂର୍ତ୍ତି ତଳେ ବସି ପ୍ରତିବାଦ କରିଛନ୍ତି ଦଳର ବିଧାୟକ । ଅନ୍ୟପଟେ ବିଜେପି-ବିଜେଡିକୁ ଭାଇ-ଭାଇ କହି କଟାକ୍ଷ କରିଛି କଂଗ୍ରେସ । ଯାହାର ଜବାବ ରଖିଛି ଶାସକ ବିଜେପି । 

Advertisment

ଗୃହର ଅଚଳାବସ୍ଥା ଦୂର କରିବାକୁ ଚଳିତ ଅଧିବେଶନରେ ପ୍ରଥମଥର ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ସେପେଟେ ପୁଣିଥରେ ଅନାସ୍ଥାରେ ଅଡି ବସିଛି କଂଗ୍ରେସ । ଯାହାକୁ ଅଗ୍ରାହ୍ୟ କରିଛନ୍ତି ବାଚସ୍ପତି । କହିଛନ୍ତି, ଗୋଟିଏ ଅଧିବେଶନରେ ସମାନ ପ୍ରସଙ୍ଗରେ ୨ ଥର ଆସିପାରିବନି ଅନାସ୍ଥା । ୫ ଦିନରେ ମାତ୍ର ୫ ଘଣ୍ଟାରୁ ଅଧିକ ଚାଲିଛି ଗୃହ । ଦୈନିକ ଅଧିବେଶନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଶାସକ-ବିରୋଧୀଙ୍କ କାଦୁଅଫିଙ୍ଗା ରାଜନୀତି ଭିତରେ ଗୃହର ଅଚଳାବସ୍ଥା ପାଇଁ ଦାୟୀ କିଏ?