'Who is dishonest, Naveen?' Photograph: (KanakNews)
କନକ ବ୍ୟୁରୋ: ଗତକାଲି ବିଜେଡି ପାଇଁ ନୂଆପଡ଼ା ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ । ଦୀର୍ଘଦିନ ପରେ କୌଣସି ଏକ ସଭାକୁ ସମ୍ବୋଧନ କରିବା ସମୟରେ ମଞ୍ଚରେ ଆଞ୍ଚ ଲଗାଇ ଦେଇଥିଲେ ନବୀନ । ବଜେଡି ସଭାପତିଙ୍କ କଥା ଶୁଣିବାକୁ ହଜାର ହଜାର ସମର୍ଥକ ମଧ୍ୟ ଛୁଟି ଆସିଥିଲେ ସଭାସ୍ଥଳକୁ । ଏଠାରେ ସେ ବିଜେପିକୁ ପ୍ରାର୍ଥୀ ଚୋର କହିବା ସହ ପ୍ରଚାରରରେ ହିରୋ କାମରେ ଜିରୋ ବୋଲି କହିଥିଲେ । ଖାଲି ସେତିକି ନୁହେଁ... କହିଥିଲେ ମୋ ସହ ବେଇମାନି ହୋଇଛି...
ପ୍ରଚାର ମୈଦାନରୁ ନବୀନ ମଞ୍ଚ ଉପରୁ ମାରିଥିଲେ ସିଧା ତୀର । କହିଥିଲେ, ବିଜୁ ଜନତା ଦଳର ନେତା ତଥା ଆପଣମାନଙ୍କର ପ୍ରିୟ ବିଧାୟକ ରାଜୁ ଭାଇ ଆଜି ଆମ ଭିତରେ ଆଉ ନାହାଁନ୍ତି । ବିଜୁ ବାବୁ ହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ ଆଉ ଆମ ସରକାର ସମୟରେ ନୂଆପଡ଼ା ବିକାଶ ସହ ଯୋଡ଼ି ହେଇଥିଲା । ବିଜୁ ଜନତା ଦଳ ସରକାର ସମୟରେ ରାଜୁ ଭାଇ ନୂଆପଡ଼ାର ବିକାଶ ପାଇଁ ମୋତେ ଯାହା ବି ଅନୁରୋଧ କରିଥିଲେ, ମୁଁ ସବୁ ପୂରା କରିଥିଲି । ହେଲେ ଆପଣମାନଙ୍କୁ ଭଲ ଭାବେ ଜଣାଅଛି ଯେ ଆପଣଙ୍କ ସହ ବିଜେଡି ସହ, ଆଉ ମୋ ସହ ବେଇମାନି ହେଲା । ବିଜେପି ସରକାର କେବଳ ମିଛ ପ୍ରଚାରରେ ହିରୋ, କାମରେ ଜିରୋ ।
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ
ନବୀନଙ୍କ ଟାର୍ଗେଟ୍ ପରେ ଆଜି ପାଲଟା ପ୍ରଶ୍ନ କରିଛନ୍ତି ବିଜେପି ନେତା ଅନୀଲ ବିଶ୍ୱାଳ । ଫେସ୍ବୁକ୍ରେ ପୋଷ୍ଟ ସେୟାର କରି ନବୀନଙ୍କ ନିଶାନା କରିଛନ୍ତି । ଅନୀଲ ବିଶ୍ୱାଳ କହିଛନ୍ତି, ନବୀନ ବାବୁ ଆପଣଙ୍କୁ ଲୋକେ ୨୪ ବର୍ଷ କାଳ ସମର୍ଥନ ଦେଇ ଆଶୀର୍ବାଦ ଦେଲେ, ଭରସା କରିଲେ । କିନ୍ତୁ ପ୍ରତିବଦଳରେ ପାଇଲେ କଣ? ଆପଣ ଲୋକଙ୍କ ସହିତ ମିଶିଲେ ନାହିଁ କି ସାଧାରଣ ଓଡ଼ିଆ ଲୋକେ ଆପଣଙ୍କୁ ଭେଟିପାରିଲେ ନାହିଁ l ଓଡ଼ିଆ ଭାଷା ଆପଣ ଶିଖିଲେ ନାହିଁ l ରାଜନୀତିରେ ଅଣଓଡ଼ିଆଙ୍କ ହାକିମାତିର ବ୍ୟବସ୍ଥା କରିଲେ l ଏହା ଓଡ଼ିଆ ଲୋକଙ୍କ ପ୍ରତି ବେଇମାନି ନୁହେଁ କି?
ଖାଲି ସେତିକି ନୁହେଁ ସେ ଆହୁରି ଲେଖିଛନ୍ତି, ନୂଆପଡ଼ାରେ ବିଜେଡି ବିଧାୟକଙ୍କର ଦେହାନ୍ତ ହେଲା l ଆପଣଙ୍କ ଦଳ ପାଇଁ ବହୁତ କିଛି କରିଥିଲେ ସେ l କିନ୍ତୁ ତାଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ଆପଣ ଗଲେ ନାହିଁ l ଓଲଟା ଆପଣଙ୍କ ଦଳର ନେତା ମାନେ ତାଙ୍କ ପରିବାର ପ୍ରତି ଅପଶବ୍ଦ ବ୍ୟବହାର କଲେ କିନ୍ତୁ ଆପଣ ଚୁପ୍ ରହିଲେ l ଏହା କଣ ବେଇମାନି ନୁହେଁ କି?
ନୂଆପଡ଼ାରେ ଉପନିର୍ବାଚନରେ ବିଜୟୀ ହେବାକୁ ବିଜଡେି, ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଚଳାଇଛନ୍ତି । ବଡ଼ବଡ଼ ନେତାମାନେ ନୂଆପଡ଼ାରେ ଡେରା ପକାଇଛନ୍ତି । ଏହାରି ଭିତରେ ନବୀନ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ବିଜେପିକୁ ଟାର୍ଗେଟ୍ କରିଥିଲେ । ଏହାର ଜବାବ ରଖିଛନ୍ତି ବିଜେପି ନେତା ଅନୀଲ ବିଶ୍ୱାଳ ।
Follow Us