କନକ ବ୍ୟୁରୋ : ଛାତ୍ରସଂସଦ ନିର୍ବାଚନ ନେଇ ପୂର୍ବ ସରକାରକୁ ଅନେକ ଥର ଟାର୍ଗେଟ୍ କରିଥିଲା ବିଜେପି । ବିଜେପି ସରକାରକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ ହେବ ଆଉ ଛାତ୍ର ନେତାଙ୍କୁ ଆଗକୁ ଆଣିବ । ଏଭଳି ଅନେକ ପ୍ରତିଶ୍ରୁତି ଦେଇଥିଲା ବିଜେପି, କିନ୍ତୁ ଏବେ ଅଧା ସେପ୍ଟେମ୍ବର ହେଲାଣି ଛାତ୍ର ସଂସଦ ନିର୍ବାଚନ ନେଇ କ୍ୟାମ୍ପସରେ କୌଣସି ହଲଚଲ ଦେଖିବାକୁ ମିଳୁନି ।
ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେବାକୁ ଯାଉଛି । ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ । ଦଶହରା ଛୁଟି ପୂର୍ବରୁ ସାଧାରଣତଃ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏଥର ପୂଜା ନିକଟତର ହୋଇଗଲାଣି କିନ୍ତୁ ଛାତ୍ର ସଂସଦ ନିର୍ବାଚନ ହୋଇପାରିଲା ନାହିଁ । ଯାହାକୁ ନେଇ ରାଜ୍ୟ ରାଜନୀତି ତେଜିଥିବା ବେଳେ ଏହାକୁ ଖୋରାକ ଯୋଗାଇଛି ବିଜେଡି ନେତାଙ୍କ ବୟାନ ।
ବିଜେଡି ନେତା ଗୌତମବୁଦ୍ଧ ଦାସ ଛାତ୍ର ସଂସଦ ନିର୍ବାଚନ ନେଇ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ବିଜେପିକୁ ଭୟ ଘାରିଛି । ବିଜେପି ଜାଣିଛି ଛାତ୍ର ସଂସଦ ନିର୍ବାଚନ ହେଲେ ବିଜେପିର ପରାଜୟ ନିଶ୍ଚିତ । ନିର୍ବାଚନ ହେଲେ ଏବିଭିପି ସମ୍ପୂର୍ଣ୍ଣ ପୋଛି ହୋଇଯିବ । ତେଣୁ ଛାତ୍ର ସଂସଦ ନିର୍ବାଚନ କରିବାକୁ ବିଜେପିକୁ ଡର ଲାଗୁଛି ।
ସେପଟେ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କ କୌଣସି ଆଗ୍ରହ ନାହିଁ ବୋଲି କହିଛି କଂଗ୍ରେସ । ଆସନ୍ତା ୬ଦିନ ଭିତରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ନହେଲେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।
ଏପଟେ ନିର୍ବାଚନ ବନ୍ଦ ହେବା ନେଇ ରାଜ୍ୟ ସରକାର ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ଘୋଷଣା କରିନାହାନ୍ତି ସତ, ମାତ୍ର ଯେଉଁ ସମୟରେ ନିର୍ବାଚନ ହେବା କଥା ତାହା ହୋଇପାରିଲା ନାହିଁ । ଆଗକୁ ହେବାର ସମ୍ଭାବନା ବି ବହୁତ କମ୍ । କାରଣ ଦଶହରା ଛୁଟି ପରେ କ୍ୟାମ୍ପସରେ ନିର୍ବାଚନ ହେବାର ସମ୍ଭାବନା କ୍ଷୀଣ । ଛୁଟି ପରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସାଙ୍ଗକୁ କ୍ୟାମ୍ପସରେ ବିଭିନ୍ନ ପ୍ରତିଯୋଗୀତା ଆରମ୍ଭ ହେବ । ତେଣୁ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ନଷ୍ଟ କରିବା ପାଇଁ ସରକାର କେବେ ଚାହିବେ ନାହିଁ । ଅର୍ଥାତ୍ ଚଳିତ ବର୍ଷ ବି ଛାତ୍ର ସଂସଦ ନିର୍ବାଚନ ହୋଇପାରିବନି ବୋଲି କୁହାଯାଇପାରେ ।