କନକ ବ୍ୟରୋ : ୧୨ ବର୍ଷର ଅପେକ୍ଷା ପରେ ସମ୍ବଲପୁରବାସୀଙ୍କ ଭିତରେ ଆଶା ସଂଚାର ହୋଇଛି । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସମ୍ବଲପୁର  ମହାନଗର ନିଗମ ନିର୍ବାଚନ ପାଇଁ ପଥ ପରିଷ୍କାର ହୋଇଛି । ନିର୍ବାଚନ ପାଇଁ ୬ ସପ୍ତାହ ଭିତରେ ସାନି ବିଜ୍ଞପ୍ତି ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ କେବେ ବିଜ୍ଞପ୍ତି ପ୍ରକାଶ ପାଉଛି ତାକୁ ଅପେକ୍ଷା । କାରଣ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ସରକାରଙ୍କ ରିପୋର୍ଟ ପରେ ବିଜ୍ଞପ୍ତି ଜାରି କରିବେ ରାଜ୍ୟ ନିର୍ବାଚନ କମିସନ । ତେବେ ହାଇକୋର୍ଟ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ୩ ଦଳ ।

Advertisment

ରାଉରକେଲା , ପୁରୀରେ କେବେ ହେବ ନିର୍ବାଚନ ?
ସମ୍ବଲପୁରରେ ନିର୍ବାଚନ ପାଇଁ ବାଟ ଫିଟିବା ପରେ ଏବେ ରାଉରାକେଲା ଓ ପୁରୀରେ ନିର୍ବାଚନ ହେବ ବୋଲି ସ୍ଥାନୀୟ ବାସିନ୍ଦା ଆଶା ବାନ୍ଧିଛନ୍ତି  । ୨୦୧୪ରେ  ରାଉରକେଲା ମହାନିଗମ ନିଗମ ଘୋଷଣା ହୋଇଥିଲେ ବି ଲୋକେ ନା ଦେଖିଛନ୍ତି ମେୟର ନା ହୋଇଛି ନିର୍ବାଚନ । ୱାର୍ଡ ସମ୍ମିଶ୍ରଣ ନେଇ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ ବି ନିର୍ବାଚନ ଉପରେ କୌଣସି ପ୍ରତିବନ୍ଧକ ନଥିଲା, ତାସତ୍ତ୍ବେ ବି ନିର୍ବାଚନ ହୋଇନାହିଁ । ସେପଟେ ପୁରୀ ମହାନଗର ନିଗମ ଘୋଷଣା ହେବା ପରେ ନିର୍ବାଚନ କେବେ ହେବ ତାକୁ ଅପେକ୍ଷା କରିଛନ୍ତି ପୁରୀବାସିନ୍ଦା । ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ନିର୍ବାଚନ ହେଉନଥିବାରୁ ରାଜ୍ୟର ୩ ପ୍ରମୁଖ ସହରରେ ବିକାଶ ବାଧାପ୍ରାପ୍ତ ହୋଇଛି । ଲୋକେ ନିଜ ସମସ୍ୟା କହିପାରୁନାହାନ୍ତି । ପ୍ରଶାସନିକ ଅଧିକାରୀଙ୍କ ମନମାନି ଯୋଗୁଁ ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି । ତେଣୁ ପ୍ରଶାସନିକ ଶାସନରୁ କେବେ ମୁକ୍ତି ମିଳିବ ଓ ନିର୍ବାଚନ କେବେ ହେବ ତାକୁ ଅପେକ୍ଷା କରିଛନ୍ତି ସମ୍ବଲପୁର, ରାଉରକେଲା ଓ ପୁରୀ ବାସିନ୍ଦା ।