କନକ ବ୍ୟୁରୋ : ଏନ୍ଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଓ ଇଣ୍ଡି ମେଣ୍ଟର ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀ । କାହା ଆଡ଼କୁ ଢଳିବ ବିଜେଡି? ଏହାକୁ ନେଇ ଅନେକ ଦିନ ହେଲା କଳ୍ପନା ଜଳ୍ପନା ଲାଗି ରହିଥିଲା । ନବୀନ ନିରବ ରହି ଦ୍ବନ୍ଦ୍ବକୁ ଆହୁରି ବଢ଼ାଇଥିଲେ । ହେଲେ, ଭୋଟିଂର ଗୋଟିଏ ଦିନ ପୂର୍ବରୁ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ । ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି । ଭୋଟ୍ ଦାନ ପ୍ରକ୍ରିୟାରୁ ବିରତି ରହିବ । ଭୋଟ୍ ସମୟରେ ଅନୁପସ୍ଥିତ ରହିବେ ବିଜେଡି ସାଂସଦ । ଏନ୍ଡିଏ ଓ ଇଣ୍ଡିଆ ବ୍ଲକ ଠାରୁ ସମଦୂରତା ରଖୁଛୁ ବୋଲି କହିଛନ୍ତି ବିଜେଡି ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ।
ୱାକଫ୍ ବିଲ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟକୁ ନେଇ ଦଳ ଏକପ୍ରକାର ଦୁଇଭାଗ ହୋଇଯାଇଥିଲା । ବିଦ୍ରୋହ ଚରମ ସୀମାରେ ପହଞ୍ଚିଥିଲା । ତେଣୁ ଏଥର ଭାବିଚିନ୍ତି ନବୀନ ନିଷ୍ପତ୍ତି ନେଇଛନ୍ତି । ବିଜେଡି ତାର ପୁରୁଣା ଫର୍ମୁଲା ସମଦୂରତାକୁ ଆପଣାଇଛି । ସେପଟେ ନବୀନଙ୍କ ଏଭଳି ନିଷ୍ପତ୍ତିକୁ ନେଇ ପିସିସି ସଭାପତି କହିଛନ୍ତି, ବିଜେଡି ଭୋଟ୍ ଦାନରୁ ବିରତ ରହିବା ଏନ୍ଡିଏକୁ ସମର୍ଥନ ଦେବା ସହ ସମାନ । ଏତିକିବେଳେ ଜୁଏଲ ଓରାମଙ୍କ ବୟାନ ପୁଣି ରାଜନୈତିକ ହଟଚମଟ ସୃଷ୍ଟି କରିଛି । କହିଛନ୍ତି, ବିଜେଡି ନିରବ ରହିବାର ଅର୍ଥ ଏନ୍ଡିଏକୁ ସମର୍ଥନ ଦେଇଛନ୍ତି । ୨୦୧୨ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦାନରୁ ବିରତ ରହିଥିଲା ବିଜେଡି, କିନ୍ତୁ ୨୦୧୭ରେ ବିରୋଧୀ ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେଇଥିଲେ ନବୀନ । ୨୦୨୨ରେ ଏନ୍ଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଖୋଲା ସମର୍ଥନ ଦେଇଥିଲା ବିଜେଡି ।