କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ନିଜର ନାମାଙ୍କନ ଭରିବେ । ଉପ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ନାମାଙ୍କନ ବେଳେ ଉପସ୍ଥିତ ରହିବେ । ୪୦ ହଜାରରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ସହ ବିରାଟ ରାଲିରେ ଯାଇ ନାମାଙ୍କନ ଭରିବେ ଜୟ ଢୋଲକିଆ । ଏହା ପୂର୍ବରୁ ଦିନ ସାଢ଼େ ୧୧ଟାରେ ନୂଆପଡ଼ାରେ ବିଜେପି ପକ୍ଷରୁ ବିଶାଳ ମିଶ୍ରଣ ପର୍ବ ହେବ । ଏଥିରେ ନୂଆପଡ଼ାର ଶହେରୁ ଅଧିକ ବର୍ତ୍ତମାନର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ବିଭିନ୍ନ ଦଳ ଛାଡ଼ି ବିଜେପିରେ ସାମିଲ ହେବେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନୂଆପଡ଼ାରେ ପହଞ୍ଚି ସମସ୍ତ କାର୍ଯ୍ୟର ସୁପରିଚାଳନାର ବନ୍ଦୋବସ୍ତ କରୁଛନ୍ତି ।
ସେପଟେ, ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ପ୍ରାର୍ଥୀ ଦୌଡ଼ରେ ଥିବା ସ୍ଥାନୀୟ ନେତାମାନଙ୍କୁ ପଛରେ ପକାଇ ବରଗଡ଼ ଜିଲ୍ଲାର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦଳ ପ୍ରାର୍ଥୀ କରିଛି । ବୁଧବାର ସଂଧ୍ୟାରେ ସଭାପତି ନବୀନ ପଟ୍ଟନାୟକ ତାଙ୍କ ନାମ ଘୋଷଣା କରିଛନ୍ତି । ବିଜେଡିର ଏହି ଅପ୍ରତ୍ୟାଶିତ ପ୍ରାର୍ଥୀ ଚୟନ ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି । ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲାର ଅତାବିରା ନିର୍ବାଚନମଣ୍ଡଳୀରୁ ୨୦୧୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୨୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କଠାରୁ ପାଖାପାଖି ୨୯ ହଜାର ଭୋଟରେ ହାରିଯାଇଥିଲେ । ନିକଟରେ ତାଙ୍କୁ ବିଜେଡିର ମହିଳା ଶାଖା ସଭାନେତ୍ରୀ କରାଯାଇଛି । କିନ୍ତୁ ନୂଆପଡ଼ାରେ ସ୍ନେହାଙ୍ଗିନୀଙ୍କୁ ବିଜେଡି ପ୍ରାର୍ଥୀ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । କେଉଁ ପରିସ୍ଥିତିରେ ଦଳ ଏପରି ନିଷ୍ପତ୍ତି ନେଲା, ତାହା ବେଶ୍ ରହସ୍ୟଜନକ ହୋଇପଡ଼ିଛି । ବିଜେଡିର ଆଗଧାଡ଼ିର ନେତାମାନେ ମଧ୍ୟ ଏହାର ଟେର୍ ପାଉ ନାହାନ୍ତି । ନବୀନ ଦିଲ୍ଲୀରୁ ଫେରିଲା ପରେ ନବୀନ ନିବାସରେ ବରିଷ୍ଠ ନେତାମାନଙ୍କର ଏକାଧିକ ବୈଠକ ହୋଇଛି । ପ୍ରାର୍ଥୀ ଚୟନ ପାଇଁ ହୋଇଥିବା କୋର୍ କମିଟିର ସଦସ୍ୟମାନେ ନୂଆପଡ଼ା ଯାଇ କର୍ମୀମାନଙ୍କ ସହ ଆଲୋଚନା କରି ଫେରିଥିଲେ । ସେମାନେ ମଧ୍ୟ ସଭାପତିଙ୍କୁ ରିପୋର୍ଟ ଦେଇଥିଲେ । କିନ୍ତୁ ସ୍ନେହାଙ୍ଗିନୀଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ କେହି ମତ ଦେଇ ନଥିବା ଜଣାପଡ଼ିଛି । ଜୟ ଢୋଲକିଆ ବିଜେପିରେ ଯୋଗ ଦେଲା ପରେ ନୂଆପଡ଼ାର ଆଗଧାଡ଼ିର କିଛି ବିଜେଡି ନେତା ଟିକେଟ୍ ପାଇଁ ଜୋର୍ଦାର ଲବି ଚଳାଇଥିଲେ ।
ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସର କସରତ । ଦଳ ପକ୍ଷରୁ ଘୋଷଣା ହେଲା ନିର୍ବାଚନ ପରିଚାଳନା କମିଟି ଓ ନିର୍ବାଚନ ତଦାରଖ କମିଟି । ନିର୍ବାଚନ ପରିଚାଳନା କମିଟିରେ ଦଳର ଏକମାତ୍ର ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ, ସିଦ୍ଧାର୍ଥ ସ୍ବରୂପ ଦାସ, ବିଧାୟକ ଅଶୋକ ଦାସ, ସାଗର ଚରଣ ଦାସ, କାଡ୍ରାକା ଆପାଲ୍ଲାସ୍ବାମୀ, ସତ୍ୟଜିତ୍ ଗମାଙ୍ଗ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା ଓ ନୀଳମାଧବ ହିକ୍କାଙ୍କୁ ସ୍ଥାନ ଦିଆଯାଇଛି । ସେହିପରି ନିର୍ବାଚନ ତଦାରଖ କମିଟିରେ ମଧ୍ୟ ଅନେକ ନେତାଙ୍କୁ ସ୍ଥାନ ମିଳିଛି ।