କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଧର୍ମଶାଳା ରାଜନୀତିରେ ନୂଆ ଚିତ୍ର । ବ୍ୟକ୍ତିଗତ କାରଣ ଦର୍ଶାଇ ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ନେଇ ଧର୍ମଶାଳା ବିଡିଓଙ୍କୁ ଚିଠି ଲେଖି ଜଣାଇଛନ୍ତି ପ୍ରଭାତ ବଳବନ୍ତରାୟ । ୪୫ଟି ପଂଚାୟତ ବିଶିଷ୍ଟ ଧର୍ମଶାଳା ବ୍ଲକ୍ ବିଜେଡି ଦଖଲରେ ରହିଥିବା ବେଳେ ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଭାଇ ପ୍ରଭାତ ବଳବନ୍ତରାୟ ବର୍ତ୍ତମାନ ପର୍ଯ୍ୟନ୍ତ ଅଧ୍ୟକ୍ଷ ଥିଲେ । ରାଜ୍ୟରେ ନୂଆ ସରକାର ଆସିବା ପରେ ମଧ୍ୟ ପ୍ରଭାତ ଇସ୍ତଫା ଦେଇ ନଥିଲେ । ତେବେ ପ୍ରଭାତ ସରକାରୀ କାର୍ଯ୍ୟରେ ସହଯୋଗ କରି ନଥିବାରୁ ଉନ୍ନୟନମୂଳକ କାମରେ ବାଧାପ୍ରାପ୍ତ ହେଉଛି ବୋଲି ଅଭିଯୋଗ ହୋଇଥିଲା । ଗତ ୧୧ ତାରିଖରେ ଧର୍ମଶାଳା ବ୍ଲକ ର ୩୮ ଜଣ ସରପଞ୍ଚ ସମିତି ସଭ୍ୟ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଯାଜପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ପରେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସରପଞ୍ଚ ସମିତି ସଭ୍ୟମାନଙ୍କର ଚିହ୍ନଟ ପ୍ରକ୍ରିୟା ଶେଷ ଆସନ୍ତା ୨୨ ତାରିଖରେ ଅନାସ୍ଥା ସମ୍ପର୍କରେ ଆଲୋଚନା ହେବା ପାଇଁ ଚିଠି ମଧ୍ୟ ଜାରି କରାଯାଇଥିଲା ।
ତେବେ ଅନାସ୍ଥା ହେବା ପୂର୍ବରୁ ଅଧ୍ୟକ୍ଷ ଇସ୍ତଫା ଦେବା ଧର୍ମଶାଳା ରାଜନୀତିକୁ ଉଷ୍ମ କରିଛି । ପ୍ରଭାତ ୨୦୧୭ ମସିହାରେ ଭବାନୀପୁର ପଞ୍ଚାୟତରୁ ସମିତି ସଭ୍ୟ ଓ ପରେ କୁମାରୀ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଅଧ୍ୟକ୍ଷ ପଦ ହାତେଇ ଥିଲେ । ପ୍ରଥମେ ୨୦୧୭ରୁ ୨୦୨୨ ପରେ ୨୦୨୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ଲକ୍ ଅଧ୍ୟକ୍ଷ ଦାୟିତ୍ବରେ ଥିଲେ ପ୍ରଭାତ ବଳବନ୍ତରାୟ । ପ୍ରଭାତଙ୍କ ଇସ୍ତଫା ପରେ କୁହାଯାଉଛି ନୂଆ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଗୋଟି ଚଳନା ଏକ ପ୍ରକାର ସଫଳ ହୋଇଛି ।
ସେପଟେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ହିମାଂଶୁ ସାହୁ । ବିଧାୟକ ପାଲଟା ଅଭିଯୋଗ ଆଣି କହିଛନ୍ତି, ପଞ୍ଚାୟତ ସମିତିକୁ ଆସୁନଥିଲେ ଅଧ୍ୟକ୍ଷ । ଏପରିକି ଅଧ୍ୟକ୍ଷଙ୍କ ନାଁରେ ଦୁର୍ନୀତି ଅଭିଯୋଗ ରହିଥିବା କହିଛନ୍ତି ହିମାଂଶୁ ସାହୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/20/02-2025-08-20-16-20-21.jpg)