କନକ ବ୍ୟୁରୋ :ନୂଆପଡା ଉପନିର୍ବାଚନ ମୈଦାନରେ କଂଗ୍ରେସ ନିଜର ଯୋଦ୍ଧା ଓହ୍ଲାଇ ସାରିଛି । ହେଲେ ବିଜେପି-ବିଜେଡିର ଏଯାଏଁ ସରିନି ଅଙ୍କକଷା । କାହାକୁ ପ୍ରାର୍ଥୀ କଲେ ଦଳର ବିଜୟ ସମ୍ଭାବନା ଅଧିକ ରହିବ ସେନେଇ ଚାଲିଛି ହିସାବ ନିକାଶ । ଏହାରି ଭିତରେ କଂଗ୍ରେସ କହିଛି, ଏଥର ନୂଆପଡା ଆମର । 

Advertisment

ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୂର୍ବଭଳି ଶେଷ ପର୍ଯ୍ୟନ୍ତ ଅପେକ୍ଷା ନକରି ନୂଆପଡା ମୈଦାନରେ ଘାସିରାମ ମାଝୀଙ୍କୁ ଓହ୍ଲାଇଛି ଦଳ । ଆଦିବାସୀ ଭୋଟର ବହୁଳ ନୂଆପଡାରେ ଆଦିବାସୀ କାର୍ଡ ଖେଳିଛି କଂଗ୍ରେସ ।  ଅନ୍ୟପଟେ ପୂର୍ବରୁ ପ୍ରଚାର ମୈଦାନକୁ ଓହ୍ଲାଇ ସାରିଥିବା ଘାସିରାମ କଂଗ୍ରେସର ଦଳୀୟ ପ୍ରାର୍ଥୀ ହେବା ପରେ ଆରମ୍ଭ କରିଛନ୍ତି ମିଶନ ନୂଆପଡା ଦଖଲ ଅଭିଯାନ । ନୂଆପଡା ଆସନରୁ ୩ ଥର ପରାଜିତ ହୋଇଥିବା ଘାସିରାମ ଏଥର ନିଜୟ ନେଇ ବେଶ ଆଶାବାଦୀ ରହିଛନ୍ତି । ଘାସିରାମଙ୍କ ପାଇଁ ପିସିସି ସଭାପତି ଭକ୍ତ ଦାସ ନିଜେ ପ୍ରଚାରର ମୋର୍ଚ୍ଚା ସମ୍ଭାଳିଛନ୍ତି । 

କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ଶିବିରରେ ଚାଲିଛି ଅଙ୍କକଷା । କେନ୍ଦ୍ରୀୟ ନେତାଙ୍କ ସହ ରାଜ୍ୟ ନେତା ଘନଘନ ଆଲୋଚନା କରୁଛନ୍ତି । କ୍ଷମତାକୁ ଆସିବା ପରେ ପ୍ରଥମ ନିର୍ବାଚନ ହୋଇଥିବାରୁ ଯେମିତି କିଛି ତ୍ରୁଟି ନରୁହେ ସେଥିପାଇଁ ସବୁ ଦିଗକୁ ନଜରରେ ରଖି ରଣନୀତି କରୁଛି ଦଳ ।  ଓଡ଼ିଶା ବିଜେପି ପ୍ରଭାରୀ କହିଛନ୍ତି, ବହୁତ ଆଶାୟୀଙ୍କ ନାଁ ରହିଛି । କୋର କମିଟି ବୈଠକରେ ଆଲୋଚନା ପରେ ନୂଆପଡା ପାଇଁ ଖୁବଶୀଘ୍ର ନିଜ ଯୋଦ୍ଧାକୁ ମୈଦାନକୁ ଓହ୍ଲାଇବ ଦଳ । ତେବେ ବିଜେଡି ଜୟ ଢୋଲକିଆଙ୍କ ନାଁରେ ମୋହର ମାରିବାକୁ ସଂକେତ ଦେଇଛି । ନୂଆପଡାରେ ମହିଳା ଓ ଆଦିବାସୀଙ୍କ ଭୋଟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ତେଣୁ ବିଜେପି କାହାକୁ ପ୍ରାର୍ଥୀ କରିବେ ତାହା ଉପରେ ସଭିଙ୍କ ନଜର ।