କନକ ବ୍ୟୁରୋ : ୧୨ ଏନ୍ଏସି ଗଠନ ପାଇଁ ସରକାର ଡ୍ରାଫ୍ଟ ରିଜୋଲ୍ୟୁସନ ଦେଲେ । କିନ୍ତୁ ଏବେ ଅନ୍ୟ ସବୁ ସ୍ଥାନରେ ଏନ୍ଏସି ଗଠନ ଲାଗି ତେଜିଲାଣି ଦାବି । ରାଜରାସ୍ତାକୁ ଓହ୍ଲାଇଲେଣି ବିଭିନ୍ନ ସଙ୍ଗଠନ ଓ ନାଗରିକ ମଞ୍ଚ । ଏନ୍ଏସି ଦାବିରେ ସାଲେପୁରରେ ଆଜି ବନ୍ଦ ପାଳନ କରାଯାଇଛି । ସାଲେପୁର ବିଜେଡି ବିଧାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀ, ବ୍ୟବସାୟୀ ଓ ସାଧାରଣ ଲୋକେ ସାଲେପୁର ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ଆନ୍ଦୋଳନକାରୀ ସାଲେପୁର କଟକ ଚାନ୍ଦବାଲି ମୁଖ୍ୟରାସ୍ତା ସହ ଦୋକାନ ବଜାର ବନ୍ଦ କରିଛନ୍ତି । ସାଲେପୁରକୁ ଏନ୍ଏସି ଘୋଷଣା ନ କଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।
ଏନ୍ଏସି ଦାବିରେ କାଲି ମୁନିଗୁଡ଼ା ବନ୍ଦ
ଏନ୍ଏସି ଘୋଷଣା ହୋଇନଥିବାରୁ ମୁନିଗୁଡ଼ାରେ ଅସନ୍ତୋଷ ତେଜିଛି । ପରମେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଆୟୋଜନ କରାଯାଇ ଆସନ୍ତାକାଲି ମୁନିଗୁଡ଼ା ବନ୍ଦ ନେଇ ଘୋଷଣା କରାଯାଇଛି । ଏତଦ ବ୍ୟତୀତ ମୁନିଗୁଡ଼ା ବ୍ଲକ ସାମନାରେ ଦାବି ପୂରଣ ପର୍ଯ୍ୟନ୍ତ ଧାରଣା ଦେବାକୁ ସ୍ଥିର କରାଯାଇଛି । ବନ୍ଦପାଳନକୁ ସବୁ ଦଳ, ଧାର୍ମିକ, ସାମାଜିକ ଓ ବ୍ୟବସାୟୀ ସଂଘ ସମର୍ଥନ କରିଛନ୍ତି । କୁଜଙ୍ଗରେ ବି ଅସନ୍ତୋଷ ତେଜିଛି । କୁଜଙ୍ଗକୁ ଏନ୍ଏସି ନ କଲେ ପ୍ରଶାସନକୁ ଅଚଳ କରିବେ ବୋଲି ବି ନିଷ୍ପତ୍ତି ନେଇଛି ସଚେତନ ନାଗରିକ ମଞ୍ଚ । କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁଜଙ୍ଗ ଆଜାଦ ହିନ୍ଦ କ୍ଲବ ଠାରେ ଏକ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଆସନ୍ତା ୨୬ ତାରିଖରେ କୁଜଙ୍ଗ ତହସିଲ ଘେରାଉ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ । ଦାବି ପୂରଣ ନହେଲେ ପ୍ରଶାସନକୁ ଅଚଳ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ବିଜେଡି ସରକାର ସମୟରେ ୫୭ଟି ଏନ୍ଏସି ଓ ମ୍ୟୁନିସିପାଲଟି କରିବାକୁ ଘୋଷଣା ହୋଇଥିଲା । ବିଜେପି ସରକାର ଆସିବା ପରେ ନିଷ୍ପତ୍ତିକୁ ଟାଳିଦେଇଥିଲେ । ଏବେ ସେହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଅନେକ ସ୍ଥାନରେ ଦାବି ଉଠିଲାଣି ।