କନକ ବୁରୋ: ରାଜ୍ୟରେ କଂଗ୍ରେସ ତା’ର ସଂଗଠନକୁ ସୁଧାରିବା ପାଇଁ ଲଗାଇଦେଇଛି ଜୋର । ନିର୍ବାଚନ ମଣ୍ଡଳୀରେ ଲୋକମାନଙ୍କ ପାଇଁ କାମ କରିବାକୁ ଟାର୍ଗେଟ୍ ଦିଆଯିବା ସହ କ’ଣ ରହିଛି ସେଠାରେ ଦଳର ସ୍ଥିତି, ତା’ର ମାସିକିଆ ରିପୋର୍ଟ ଦେବାକୁ କୁହାଯାଇଛି ।
ଗତ ନିର୍ବାଚନରେ କଂଗ୍ରେସର ୧୦ ପ୍ରତିଶତରୁ ଅଧିକ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କୁ ଦଳର ୬ ମାସିଆ କଣ୍ଟ । ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ପାଇଁ କାମ କରିବାକୁ ଦିଆଗଲା ଟାର୍ଗେଟ୍ ଓ ଗାଇଡଲାଇନ୍ । ମାସକୁ ଅନ୍ୟୂନ ୨୦ ଦିନ ଦଳକୁ ଦେବାକୁ ତାଗିଦ୍ । ରାଜନୈତିକ ଓ ସାଂଗଠନିକ କାର୍ଯ୍ୟ କରିବେ ପ୍ରାର୍ଥୀ । ଦଳୀୟ କାମକୁ ସୋସିଆଲ ମିଡିଆରେ ପ୍ରତିଦିନ ପୋଷ୍ଟ କରିବେ । ପ୍ରତି ମାସରେ ପ୍ରାର୍ଥୀ ଦେବେ ସଭାପତିଙ୍କୁ ରିପୋର୍ଟ । ଏହି ନେତାଙ୍କ କାମକୁ ନେଇ ୬ ମାସରେ ପିସିସି କରିବ ବଡ଼ ସମୀକ୍ଷା । ଏହି ଆଧାରରେ ନିର୍ବାଚନ ମଣ୍ଡଳୀରେ କିଏ ହେବ କଂଗ୍ରେସର ଚେହେରା ସେହି ଅନୁଯାୟୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । କଂଗ୍ରେସ ଭବନରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳୀୟ ପ୍ରଭାରୀ ଓ ପିସିସି ସଭାପତି ୬୭ ଜଣ ପ୍ରାର୍ଥୀଙ୍କୁ ନେଇ କରିଛନ୍ତି ବୈଠକ ।
ସଂଗଠନ ଗଢିବାକୁ ଜିଲ୍ଲାରେ ନେତା ଖୋଜୁଛି କଂଗ୍ରେସ । ପଂଚାୟତ ନିର୍ବାଚନରେ ଭୋଟ ପ୍ରତିଶତ ବଢାଇବା ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ଏବେଠାରୁ କସରତ । ଗତ ନିର୍ବାଚନରେ ହାରିବା ପରେ ବି ନିଜ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ କେତେ ଲୋକପ୍ରିୟତା ରହିଛି, ହାରିବାର ବର୍ଷକ ଭିତରେ କେତେ କ୍ରିୟାଶୀଳ ଅଛନ୍ତି ତାହା ପରଖିବ ଦଳ । ଏଥିପାଇଁ ଖୁବ ଶୀଘ୍ର ଟିମ ଗଠନ ହେବ ବୋଲି ସୂଚନା ମିଳିଛି । ଜିଲ୍ଲା ସଭାପତିଙ୍କୁ ରାହୁଲ ଗାନ୍ଧୀ ଅଧିକ ଗୁରୁତ୍ୱ ଦେଉଥିବାରୁ ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ୩୫ ଜଣ ପର୍ଯ୍ୟବେକ୍ଷକ ଖୁବଶୀଘ୍ର ଓଡ଼ିଶା ଆସିବେ । ସଂଗଠନ ସୃଜନ ଅଭିଯାନ ଆଧାରରେ ଜିଲ୍ଲା ସଭାପତି ବଛାଯିବ ।
ଭୁବନେଶ୍ୱର କଂଗ୍ରେସ ଭବନରେ ଆଉ ମୁହଁ ଦେଖା ନେତା ନୁହଁ , ନିର୍ବାଚନ ମଣ୍ଡଳୀରେ ସଂଗଠନ କରିଥିବା ନେତାଙ୍କୁ ଦିଆଯିବ ବଡ଼ ଦାୟିତ୍ୱ । ଦଳ ଆକଳନ କରୁଛି କିଏ ଦଳ ପାଇଁ ଉପାଦେୟ ସେମାନଙ୍କୁ ଦଳରେ ଗରୁତ୍ବ ମିଳିବ ଓ ସଂଗଠନ ନଥିବା ନେତାଙ୍କୁ ଦଳ ବାହାରର ଦ୍ୱାର ଦେଖିବାକୁ ପଡିବ ।