କନକ ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ବିଜେପିରୁ ଜୟ ଢୋଲକିଆ, କଂଗ୍ରେସରୁ ଘାସିରାମ ମାଝୀ ଓ ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରାଯାଇଛି । ତିନି ଦଳ ଭିତରେ ଛକାପଞ୍ଝା ଜୋର୍‌ଦାର ଚାଲିଛି ।  କଂଗ୍ରେସ ଓ ବିଜେପି ବିଜେଡି ଗଡ଼ରେ ଧସେଇ ପଶିବାକୁ ଉଦ୍ୟମ କରୁଛନ୍ତି । ତିନି ଦଳର ପ୍ରାର୍ଥୀ ଘୋଷଣା ପରେ ଆଜି ଏକ ବଡ଼ ଧରଣର ଦଳ ଅଦଳବଦଳ ଦେଖିବାକୁ ମିଳିଛି । 

Advertisment

୨୦୨୪ ସାଧାରଣ ନିର୍ବାଚନରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଲମ୍ବୋଧର ନିଆଲ ଦଳର ପ୍ରାଥମିକ ସଦସ୍ୟତା ସହ ଦଳୀୟ ପଦବିରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି ।  ଏହା ବାଦ୍ ନୂଆପଡ଼ା ଓ କୋମନା ବ୍ଲକ୍‌ର ପ୍ରାୟ ୫୫ ଜଣ ସରପଞ୍ଚ ଏବଂ ସମିତିସଭ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ନୂଆପଡ଼ା ରାଜନୀତିକୁ ଆହୁରି ରୋଚକ କରିଦେଇଛି । ବିଜେଡି ପକ୍ଷରୁ ନିଜର ନେତାମାନଙ୍କ ବୁଝାସୁଝା କରିବାକୁ ରାଜଧାନୀରୁ ନୂଆପଡ଼ା ଯାଏଁ ବେଶ୍‌ କସରତ କରାଯାଇଥିଲେ ବି ତାହା ବିଶେଷ ଫଳପ୍ରଦ ହୋଇ ନାହିଁ । ବିଜେଡିର ବରିଷ୍ଠ ନେତାମାନଙ୍କୁ ନୂଆପଡ଼ାର ନେତାମାନେ ଧରାଛୁଆଁ ଦେଉନାହାନ୍ତି । ସେମାନଙ୍କ ଫୋନ୍ ବି ଉଠାଉ ନାହାନ୍ତି । ଅପରପକ୍ଷରେ ବରିଷ୍ଠ ଆଦିବାସୀ ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂହ ମାଝୀଙ୍କ ଉପରୁ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିନେଇଛି ବିଜେଡି । ଗତ ବର୍ଷ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ବହିଷ୍କାର ପ୍ରତ୍ୟାହାର ପରେ ଶଙ୍ଖ ଭବନଠାରେ ଶ୍ରୀ ମାଝୀଙ୍କୁ ଦଳ ତରଫରୁ  ଭବ୍ୟ ସ୍ୱାଗତ କରାଯାଇଛି । ଏହି ଅବସରରେ ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟରେ କହିଥିଲେ, ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଏବଂ ନବୀନ ବାବୁଙ୍କ ନେତୃତ୍ୱରେ ମୁଁ ବହୁଦିନ ଧରି ପ୍ରଥମେ ଜନତା ଦଳ ଏବଂ ପରେ ବିଜୁ ଜନତା ଦଳରେ କାର୍ଯ୍ୟ କରିଆସୁଛି ।