କନକ ବ୍ୟୁରୋ: ବିଧାନସଭାରେ ଆଜି ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଓ ବିଜେଡି । ବିଧାନସଭାରେ ଭିତରେ ପ୍ରସଙ୍ଗ ଉଠାଇ କଂଗ୍ରେସ ହୋହଲ୍ଲା କରିଥିବା ବେଳେ ବାହାରେ ବିଧାନସଭା ଘେରାଉ କରିଛନ୍ତି ମହିଳା କଂଗ୍ରେସ କର୍ମୀ । ମୁଲତବି ପ୍ରସ୍ତାବ ଆଲୋଚନାରେ ବି ସରକାରଙ୍କୁ ଘେରିଛି ବିଜେଡି ।
ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କମ୍ପିଛି ବିଧାନସଭା । ଶୂନ୍ୟକାଳରେ ନାରୀ ନିର୍ଯାତନା ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଗୋପାଳପୁର, କେନ୍ଦୁଝର ଓ ବଳଙ୍ଗା ମାମଲା ଉଠାଇ ସରକାରଙ୍କୁ ଘେରିଛନ୍ତି । ଶୂନ୍ୟକାଳରେ ମଧ୍ୟ ନାରୀ ନିର୍ଯାତନା କଥା ଉଠାଇ ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ହୋହଲ୍ଲା କରି କକ୍ଷତ୍ୟାଗ କରିଥିଲେ । ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରାଙ୍କ ହତ୍ୟା ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆଣି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେପି ବିରୋଧୀଙ୍କୁ ଘେରିଛି ।
ବିଧାନସଭା ଭିତରେ ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଗର୍ଜିଥିବା ବେଳେ ବାହାରେ ମହିଳା କଂଗ୍ରେସ କର୍ମୀ ବିଧାନସଭା ଘେରାଉ କରିଛନ୍ତି । ଘେରାଉ ବେଳେ ମହିଳା କଂଗ୍ରେସ କର୍ମୀ ବ୍ୟାରିକେଡ ଭାଙ୍ଗିଥିଲେ । ଅଭିନବ ପ୍ରତିବାଦ ସ୍ବରୂପ ପୁଲିସ ଉପରକୁ ଫୁଲ ଫୋପାଡ଼ିଥିଲେ । ନାରୀ ନିର୍ଯାତନା ବୃଦ୍ଧିକୁ ସରକାର ରୋକିବାରେ ଅସମର୍ଥ ହୋଇଛନ୍ତି ବୋଲି ମହିଳା କଂଗ୍ରେସ ଅଭିଯୋଗ କରିଛି । ମହିଳା ନିର୍ଯାତନା ପ୍ରସଙ୍ଗରେ ବିରୋଧୀଙ୍କ ଆକ୍ରମଣ ସରକାରଙ୍କୁ ଅକଳରେ ପକାଇଛି ।