କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ସେପେଟ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ମୋଟ୍‌ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଛି । ବହୁଜନ ସମାଜ ପାର୍ଟିର ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରାଙ୍କ ସହ ୩ ଜଣ ସ୍ବାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା, କମଳ ଛତ୍ରିଆ ଏବଂ ଭୁଜବଳ ଆଡ଼ବଙ୍ଗାଙ୍କ ପ୍ରାର୍ଥିତ୍ବ ନାକଚ ହୋଇଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସର ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳର ଶୁକଧର ଦଣ୍ଡସେନାଙ୍କ ସହ ୮ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ୍‌ ରହିଛି । 

Advertisment

ଓଡ଼ିଶା ରାଜନୀତିରେ ନୂଆ ଧାରା : ଆଗରୁ ନେତାଙ୍କୁ ମାରିବାକୁ ସୁପାରି ଦେଇଥିଲେ ଅପରାଧୀ

ସେପଟେ ନୂଆପଡ଼ାରେ ଜମୁଛି ପ୍ରଚାର । ତିନିଦଳ ମତଦାତାଙ୍କୁ ନିଜ ନିଜ ସପକ୍ଷରେ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଭୋଟରଙ୍କୁ ନିଜଆଡ଼କୁ ଆକର୍ଷଣ କରିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି । ବିରୋଧୀ ସରକାରଙ୍କ ମିଛ ପ୍ରତିଶ୍ରୁତି, ଅପାରଗତା ବାବଦରେ ଲୋକଙ୍କୁ ଜଣାଇବା ସହ ରାଜ୍ୟରେ ମହିଳା କିପରି ନିର୍ଯାତିତ ହେଉଛନ୍ତି ସେହି ପ୍ରସଙ୍ଗ ଉଠାଇ ଲୋକଙ୍କ ନିକଟତର ହେଉଥିବା ବେଳେ ଶାସକ ଦଳ ବି ପ୍ରଚାର ମଇଦାନରେ ପଛରେ ପଡ଼ିନି । ଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ୍ କରୁଛି ଶାସକ ଦଳ । ପୂର୍ବ ସରକାରରେ କିପରି ପ୍ରତିଶ୍ରୁତି ଦିଆଯାଇ ପାଳନ ହୋଇନି । କିପରି ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦେବା କହି ପୂର୍ବ ସରକାର ଭୁଲିଯାଇଛନ୍ତି ସେ ସବୁ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ତଥା ପୂର୍ବ ସରକାରଙ୍କୁ ଘେରିଛି ଶାସକ ଦଳ ବିଜେପି । କଂଗ୍ରେସ ବି ଉଭୟ ବିଜେଡି ଏବଂ ବିଜେପିକୁ ଗୋଟିଏ କଏନର ଦୁଇ ପାର୍ଶ୍ୱ, ବିଜେପି-ବିଜେଡି ଭାଇ ଭାଇ କଥା କହି ଲୋକଙ୍କ ବିଶ୍ବାସ ଜିତିବାକୁ ଚେଷ୍ଟା ଜାରି ରଖିଛି । ତିନି ଦଳ ଲୋକଙ୍କ ଭୋଟ ହାତେଇବା ପାଇଁ ଜୋରଦାର ପ୍ରୟାସ କରୁଥିବା ବେଳେ ଦେଖିବାକୁ ବାକି ରହିଲା, ଏହି ନିର୍ବାଚନରେ ଭୋଟର କାହାକୁ ନିଜର ନେତା ବାଛୁଛନ୍ତି । 

ଅନ୍ୟପଟେ ନୂଆପଡ଼ା ଉପ-ନିର୍ବାଚନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଗତ କିଛିଦିନ ତଳେ ଏନେଇ ଏକ ବୈଠକ ବସିଥିଲା । ନୂଆପଡ଼ାରେ କିଭଳି ଶାନ୍ତି ଶୃଙ୍ଖଳର ସହ ନିର୍ବାଚନ ଶେଷ ହେବ । ଲୋକେ କିଭଳି ଶାନ୍ତି ଶୃଙ୍ଖଳାର ସହ ଆସି ଭୋଟ୍ ଦେଇପାରିବେ ସେନେଇ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେ ଦିଗରେ ଗୁରୁତ୍ୱ ଦିଆଯାଇଛି ।