କନକ ବ୍ୟୁରୋ : ନୂଆପଡା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ ଘୋଷଣା କରିଛନ୍ତି । ଜିଲ୍ଲାବାସୀଙ୍କ ପାଇଁ ୧୧୦୧ କୋଟି ଟଙ୍କାର ୯୫୭ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଜଳସେଚନର ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଇ ସ୍ବତନ୍ତ୍ର ଭାବେ ୮୦୨ କୋଟି ୯ ଲକ୍ଷ ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନଙ୍କ ଏହି ଘୋଷଣା ଚାଷୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ । ନୂଆପଡା ମାଟିରୁ ରାଜ୍ୟର ସବୁ ତହସିଲରେ ସବ୍-ରେଜିଷ୍ଟ୍ରେସନ ଅଫିସ ଖୋଲିବା ନେଇ ମୋହର ମାରିଛନ୍ତି ମୋହନ । ଏବେ ୩୧୭ ବ୍ଲକରୁ ୧୦୭ ତହସିଲରେ ନାହିଁ ସବ୍‌-ରେଜିଷ୍ଟ୍ରେସନ ଅଫିସ । ପ୍ରଥମ ପର୍ଯ୍ୟାୟରେ ନୂଆପଡାର ୩ଟି ସିନାପାଲି, କୋମନା ଓ ବୋଡେନ ସମେତ ମାଲକାନଗିରିର ୪ଟି ତହସିଲରେ ଖୋଲଛି ସବ୍-ରେଜିଷ୍ଟ୍ରେସନ ଅଫିସ । ଦୂର ହେଉ ବା ପାଖ, ରାଜ୍ୟର ସବୁ ଅଞ୍ଚଳରେ ବିକାଶ ପହଞ୍ଚାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

Advertisment

ଡବଲ ଇଞ୍ଜିନ ସରକାରରେ ନୂଆପଡାକୁ ଡବଲ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖରିଆର ରୋଡ୍‌କୁ ମୁନିସପାଲିଟି, କୋମନାକୁ ଏନ୍‌ଏସି, ସିନାପାଲି ପଞ୍ଚାୟତ ଓ ଗୋଡାଲ ପଞ୍ଚାୟତକୁ ମିଶାଇ ସିନାପାଲି ଏନଏସି ପାଇଁ ଘୋଷଣା କରିଛନ୍ତି ମୋହନ ମାଝୀ । ଡବଲ ଇଞ୍ଜିନ ସରକାରରେ ନୂଆପଡାବାସୀ ଯୋଡି ହେବାକୁ ଚାହୁଁଛନ୍ତି ବୋଲି କହିଛି ବିଜେପି । ଅନ୍ୟପଟେ ବିଜେଡି କହିଛି, ନୂଆପଡା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି କୋଟି କୋଟି ଟଙ୍କା ଘୋଷଣା ହୋଇଛି । ଲୋକେ ଏବେ ବି ବିଜେଡି ସହ ଅଛନ୍ତି ।  ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ନୂଆପଡାର ଦାୟିତ୍ବ ନିଜେ ନେବେ ବୋଲି ପୂର୍ବରୁ କହିଥିଲେ ମୁଖ୍ୟମନ୍ତ୍ରୀ । ଗତ ୭ ମାସ ଭିତରେ ନୂଆପଡାକୁ ୧୪୨୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୋହନ ମାଝୀ ।