କନକ ବ୍ୟୁରୋ: କ୍ଷମତାରୁ ଯିବା ପରେ ଏବେ ଧିରେ ଧିରେ ଦୁର୍ବଳ ହେଉଛି ବିଜେଡି । ଏକଥା ଆମେ କହୁନୁ ବରଂ ଦଳୀୟ ନେତାଙ୍କ କାର୍ଯ୍ୟକଳାପ ଦଳର ଦୁର୍ବଳତାକୁ ପଦାରେ ପକାଇବାରେ ଲାଗିଛି । ଆଉ ଏହାରି ଭିତରେ କଟକ ବିଜେଡିର କେଁ କଟର ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ପୂର୍ବତନ କଟକ ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ବନ୍ଧୁ ମିଳନ ପାଇଁ ନିମନ୍ତ୍ରଣ ନଦିଆଯିବା ପରେ ଆରମ୍ଭ ହୋଇଛି ନୂଆ ନୂଆ ଚର୍ଚ୍ଚା ଓ ଆଲୋଚନା ।

Advertisment

କଟକ ବିଜେଡିରେ ଫାଟ ଏବେ ଜଳଜଳ । ଆସନ୍ତା ୨୬ ତାରିଖରେ ଦଶହରା ଉପଲକ୍ଷେ କଟକ ବିଜେଡି ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି । କିନ୍ତୁ ଏହି ବନ୍ଧୁମିଳନ ନିମନ୍ତ୍ରଣ ପତ୍ରରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନାଁ ନାହିଁ । କଟକ ବିଜେଡି ସଭାପତି ପ୍ରଫୁଲ୍ଲ ସିଂ, ମେୟର ସୁବାସ ସିଂ, କଟକ ଚୌଦ୍ଵାର ବିଧାୟକ ସୌଭିକ୍ ବିଶ୍ଵାଳଙ୍କ ନାଁ ନିମନ୍ତ୍ରଣ ପତ୍ରରେ ରହିଛି । ହେଲେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନାଁ କ’ଣ ପାଇଁ ନାହିଁ ତାକୁ ନେଇ ଏବେ ଭାଇଚାରାର ସହରରେ ସୃଷ୍ଟି ହୋଇଛି ପ୍ରଶ୍ନ ।

ଗତ କିଛି ଦିନ ତଳେ ନବୀନଙ୍କ ନିଷ୍ପତ୍ତିକୁ ନାପସନ୍ଦ କରିଥିଲେ ଦେବାଶିଷ ସାମନ୍ତରାୟ । ଦଳର ପୁରୁଖା ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ନବୀନ ନିଲମ୍ବନ କରିବା ଆଦେଶକୁ ନେଇ ଆପତ୍ତି ଉଠାଇଥିଲେ ଦେବାଶିଷ । ନବୀନଙ୍କ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ଭୁଲ ବୋଲି କହିବାକୁ ପଛାଇନଥିଲେ ଦେବାଶିଷ । ଖାଲି ଏତିକି ନୁହେଁ ଦେବାଶିଷ ଶ୍ରୀମୟୀ ଓ ଏନ. ଭାସ୍କର ରାଓଙ୍କ ସମର୍ଥନରେ ସିଧାସଳଖ ବାହାରିଥିଲେ । ଯେଉଁଥି ପାଇଁ ଦଳ ଏବେ ଦେବାଶିଷଙ୍କୁ ବିଭିନ୍ନ କାର୍ଯ୍ୟକ୍ରମର ଦୂରେଇ ରଖୁଛି କି? ଦଳର ଶୀର୍ଷନେତାଙ୍କୁ ନେଇ ସିଧା ନିଶାନା କରୁଥିବାରୁ ଦେବାଶିଷଙ୍କୁ କୋଣଠେସା କରାଯାଉଛି କି?

ବଡ଼ କଥା ହେଉଛି, ପ୍ରତିଦିନ ଶଙ୍ଖ ଶିବିରର ଅସନ୍ତୋଷ ଉଗ୍ର ହେବାରେ ଲାଗିଛି । କର୍ମୀ ବିଶ୍ବାସ ହରାଉଥିବା ବେଳେ ଦଳୀୟ ନେତାଙ୍କ ପ୍ରତି ଏଭଳି ଆଚରଣ କିଭଳି ଦଳକୁ ଏକ କରି ରଖିବ ତାହା ନବୀନଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ।