କନକ ବ୍ୟୁରୋ : ଶିଳ୍ପ ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଆୟୋଜନ। ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ଓୟୁଏଟିରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଶିଳ୍ପ ପ୍ରତିଷ୍ଠା ବାବଦରେ ୨୫ ହଜାର ୩୮୦ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଯାହା ଦ୍ୱାରା ରାଜ୍ୟରେ ୫୧ହଜାର ୮୨୬ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଆଜି ଓୟୁଏଟି କୃଷି ଶିକ୍ଷା ସଦନରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିଳ୍ପ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଯୋଗ ଦେବେ । ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରତିଷ୍ଠା ହେବ । ଝାରସୁଗୁଡା, ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, ଅନୁଗୁଳ, ସୁନ୍ଦରଗଡ, ଭଦ୍ରକ, ପୁରୀ, କଟକ ଏବଂ ସମ୍ବଲପୁର ଜିଲ୍ଲାରେ ସ୍ଥାପନ ହେବ ।
ସେପଟେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିବେ ନିଯୁକ୍ତି ପତ୍ର । ନୂଆ କରି ଚୟନ କରାଯାଇଥିବା ୭ଟି ବିଭାଗର ୧ହଜାର ୬୮୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦିଆଯିବ । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ୩୪, ଅର୍ଥ ବିଭାଗର ୬୧, ଜଳସମ୍ପଦ ବିଭାଗର ୪୧୩, ଆଇନ ବିଭାଗର ୩୭, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ୨୩, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ୯୮୨ ଓ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ୧୩୬ ଜଣଙ୍କୁ ମିଳିବ ନିଯୁକ୍ତି ପତ୍ର ।