କନକ ବ୍ୟୁରୋ : ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ସାର ସଙ୍କଟ । କଳାବଜାରୀ ଉପରେ ରୋକ୍ ଲଗାଇବା ସହ ବେଆଇନ ମହଜୁଦକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କିଛି ଦିନ ତଳେ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ରାଜ୍ୟବ୍ୟାପୀ ଧରପଗଡ଼ ଚାଲିଥିଲେ ବି ସାର ସଙ୍କଟ ଶେଷ ହେଉନାହିଁ । ଏବେ ବି ବିଭିନ୍ନ ସ୍ଥାନରେ ସାର ବସ୍ତାଏ ପାଇଁ ରାତିଅଧରୁ ଲମ୍ବାଧାଡ଼ିରେ ଛିଡ଼ା ହେବାକୁ ପଡୁଛି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ଏହାରି ଭିତରେ କିଛି ଚିତ୍ର ସାମ୍ନାକୁ ଆସିଛି... ଗଞ୍ଜାମ ଦିଗପହଣ୍ଡିରେ ଧାରଣାରତ ଚାଷୀମାନେ ସମବାୟ ସମିତି ସମ୍ପାଦକଙ୍କୁ ଘେରି ସାର ବସ୍ତା ବୋହି ନେଇଛନ୍ତି । ସେହିପରି ଆସ୍କାରେ ସାର ବସ୍ତାଏ ପାଇଁ ଦେଖିବାକୁ ମିଳିଛି ଚାଷୀଙ୍କ ସଂଘର୍ଷ । ପ୍ରତିଦିନ ରାତିଅଧରୁ ଲାଇନ ଲଗାଉଥିଲେ ମଧ୍ୟ ସାର ବସ୍ତାଟିଏ ମିଳୁନଥିବା ଚାଷୀ ଅଭିଯୋଗ କରିଛନ୍ତି । କଟକ ନିଆଳିରେ ଦେଖିବାକୁ ମିଳିଛି ସମାନ ସ୍ଥିତି । ମାଧବ ପ୍ରାଥମିକ କୃଷି ସମବାୟ ସମିତିରେ ମାତ୍ର ୨୦୦ ବସ୍ତା ସାର ରହିଥିବା ବେଳେ ୬୦୦ ଚାଷୀ ଅପେକ୍ଷାରେ ଧାଡ଼ି ବାନ୍ଧିଥିବା ଦେଖିବାକୁ ମିଳିଛି ।
ଲୋୟର ପିଏମ୍ଜିରେ କିଷାନ କଂଗ୍ରେସର ବିକ୍ଷୋଭ
ବିଧାନସଭା ଚାଲିଥିବା ବେଳେ ଲୋୟର ପିଏମଜିରେ ସାର ପ୍ରସଙ୍ଗକୁ ନେଇ କିଷାନ କଂଗ୍ରେସ ସେଲ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚାଷୀଙ୍କୁ ସାର ଯୋଗାଇବା ଏବଂ କଳାବଜାରୀ ଉପରେ ରୋକ୍ ଲଗାଇବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦଳ ଅଭିଯୋଗ କରିଛି । ଗୋଟିଏ ପଟେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁଦ ଥିବା ସରକାର କହୁଥିବା ବେଳେ ବିଭିନ୍ନ ସ୍ଥାନରୁ ଆସୁଥିବା ସାର ଅଭାବର ଚିତ୍ର ବାସ୍ତବତାକୁ ପଦାରେ ପକାଇଛି ।